ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା : ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୦୩/୦୬ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଢୋଲମରା ଗାଁରେ ଚାଞ୍ଚଲ୍ୟ । ଆକ୍ରମଣର ଶିକାର ଯୁବକ ହେଲେ ଦିବ୍ୟରଞ୍ଜନ ସାମଲ । ଦିବ୍ୟ ରଞ୍ଜନ ଦୋକାନ ବନ୍ଦକରି ଘରକୁ ଫେରୁଥିବାବେଳେ ସେହି ଗାଁର ତିନିଜଣ ଯୁବକ ଗୁନା ବିଶ୍ୱାଳ, ସୁନିଆ ବିଶ୍ୱାଳ, ପ୍ରଦୀପ ବିଶ୍ୱାଳ କୌଣସି କାରଣରୁ ତାଙ୍କୁ ଅଟକାଇ ଗାଳି ଗୁଲଜ କରିଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ବଢ଼ିବାରୁ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକମାନେ ଦିବ୍ୟ ରଞ୍ଜନଙ୍କୁ ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ଖଣ୍ଡାରେ ହାଣିଥିଲେ । ମୁର୍ମୁଷୁ ଅବସ୍ଥାରେ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ରାଜନଗର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି ।