ଆଡିଲେଡ, ୬/୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ର ପ୍ରଥମ ଦିନରେ ଭାରତ ୨୫୦ ରନ୍ରେ ୯ ୱିକେଟ ହରାଇ ସଙ୍କଟରେ ପଡ଼ିଛି । ଆଡିଲେଡ୍ରେ ଏକଦା ଭାରତ ଦୟନୀୟ ସ୍ଥିତିରେ ରହିଥିବା ବେଳେ ଚେତେଶ୍ୱର ପୂଜାରାଙ୍କ ଲଢ଼ୁଆ ୧୨୩ (୭ ଚୌକା, ୨ ଛକା) ରନ୍ ବଳରେ ସ୍ଥିତିରେ ସୁଧାର ଆଣିଛି । ଭାରତର ଗୋଟିଏ ପରେ ଗୋଟିଏ ଉଇକେଟ୍ ଖସି ପଡ଼ୁଥିବା ବେଳେ ଅନ୍ୟପଟେ ଏକ ଖୁମ୍ବ ପରି ଠିଆ ହୋଇ ଅଷ୍ଟ୍ରେଲିଆ ବୋଲିଂର ଦୃଢ଼ ଜବାବ ଦେଇଛନ୍ତି ପୂଜାରା । ତେବେ ପୂଜାରା କୁମିନ୍ସଙ୍କ ଦ୍ୱାରା ରନ୍ ଆଉଟ୍ ହେବା ମାତ୍ରେ ଦୁଇ ଅମ୍ପାୟାର ପ୍ରଥମ ଦିନର ଖେଳିର ପରିସମାପ୍ତି ଘୋଷଣା କରିଛନ୍ତି । ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମଧ୍ୟାହ୍ନ ଭୋଜନ ସୁଦ୍ଧା ୪ ଉଇକେଟ ହରାଇ ସଂଗ୍ରହ କରଥିଲା ମାତ୍ର ୫୬ ରନ୍ । ତେବେ ଭାରତର ବିପର୍ଯ୍ୟୟରୁ ଉଦ୍ଧାର କରିବା ସହିତ ଚେତେଶ୍ୱର ପୂଜାରାଙ୍କ ସହିତ ମିଶି ଭାରତର ପାଳି ସମ୍ଭଳି ଆଣୁଥିବା ବେଳେ ରୋହିତ ଶର୍ମା ୩୭ ରନ କରି ଆଉଟ୍ ହୋଇଥିଲେ । ପରେ ପଡ଼ିଆକୁ ଓହ୍ଲାଇଥିିବା ଋଷଭ ପନ୍ଥ ମଧ୍ୟ ପୂଜାରଙ୍କ ସହ ପାଳିକୁ ଆଗକୁ ନେବାକୁ ଚେଷ୍ଟା କରିଥିିଲେ । ତେବେ ପନ୍ଥ ୨୫ ରନ୍ରେ ଆଉଟ୍ ହେବା ପରେ ରବିଚନ୍ଦ୍ରନ ଅଶ୍ୱିନ ପୂଜାରାଙ୍କୁ ଭରପୂର ସହଯୋଗ ଦେଇଥିଲେ । ଅଶ୍ୱିନୀ ୨୫ ରନ୍ରେ ଆଉଟ ହେବା ପରେ ପୂଜାର ଇଶାନ୍ତ ଶର୍ମାଙ୍କୁ ନେଇ ବ୍ୟାଟିଂ କରିଥିଲେ । ୮ମ ଉଇକେଟ ଯୋଡ଼ିରେ କିଛି ରନ୍ ଯୋଡ଼ି ଇଶାନ୍ତ ଶର୍ମା ଆଉଟ୍ ହେବା ପରେ ମହମ୍ମଦ ସାମୀଙ୍କୁ ସାଥୀକରି ପୂଜାରା ନିଜର ଶତକ ପୂରଣ କରିଥିଲେ ।