ଓଡିଶାରେ ୪ଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ

0

ଭୁବନେଶ୍ୱର,୧୧/୩: ଦେଶରେ ସାଧାରଣ ନିର୍ବାଚନ ନେଇ ଆଜି ବିଗୁଲ୍ ଫୁଙ୍କିଛନ୍ତି କେନ୍ଦ୍ର ନିର୍ବାଚନ କମିସନ । ଓଡିଶାରେ ମୋଟ ୪ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ନେଇ ମଧ୍ୟ ଘୋଷଣା କରାଯାଇଛି । ଏପ୍ରିଲ ୧୧ ଅର୍ଥାତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଓଡିଶାର ମୋଟ ୪ଟି ଲୋକସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ସେହିପରି ଏପ୍ରିଲ ୧୮ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା । ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟରେ ୬ଲୋକସଭା, ୪୨ ବିଧାନସଭା ଓ ଏପ୍ରିଲ ୨୯ ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ଟି ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ମାର୍ଚ୍ଚ ୧୮ ତାରିଖରେ ପ୍ରକାଶ ପାଇବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଲାଗି ମାର୍ଚ୍ଚ ୧୯, ତୃତୀୟ ପର୍ଯ୍ୟାୟ ଲାଗି ମାର୍ଚ୍ଚ ୨୮ ଓ ଚତୁର୍ଥ ପର୍ଯ୍ୟାୟ ଲାଗି ଏପ୍ରିଲ ୨ରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ପ୍ରଥମ ପର୍ଯ୍ୟାୟରେ ୧୧ତାରିଖ ଦିନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ୧୮ ଏପ୍ରିଲରେ ବରଗଡ, ଆସ୍କା, ବଲାଙ୍ଗିର, କନ୍ଧମାଳ ଓ ସୁନ୍ଦରଗଡ,ତୃତୀୟ ପର୍ଯ୍ୟାୟ ୨୩ ଏପ୍ରିଲରେ ସମ୍ବଲପୁର, କେଉଁଝର, ଭୁବନେଶ୍ୱର, ପୁରୀ, କଟକ ଓ ଢେଙ୍କାନାଳ ଓ ଚତୁର୍ଥ ପର୍ଯ୍ୟାୟ ୨୯ ଏପ୍ରିଲରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଓ ମୟୁରଭଞ୍ଜ ଲୋକସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ ।

ଏଥିସହ ପ୍ରଥମ ଥର ଲାଗି ଦିବ୍ୟାଙ୍ଗ ଭୋଟରଙ୍କ ଲାଗି ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ ଭୋଟରଙ୍କ ଲାଗି ୨୫ହଜାର ହ୍ୱିଲ ଚେୟାର ରଖାଯିବାର ବନ୍ଦୋବସ୍ତ କରାଯିବା ସହ ସେମାନଙ୍କୁ ତାଙ୍କ ଘରୁ ଆଣି ଘରେ ଛାଡିବାର ବନ୍ଦୋବସ୍ତ ମଧ୍ୟ କରାଯାଇଛି । ଏଥି ସହ ଦିବ୍ୟାଙ୍ଗ ମାନଙ୍କ ସହାୟତା କରିବା ଲାଗି ପ୍ରତି ବୁଥ୍ରେ ଜଣେ ଲେଖା ସ୍ୱେଚ୍ଛାସେବୀ ମଧ୍ୟ ନିୟୋଜିତ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନ କହିଛନ୍ତି । ଏଥି ସହ ନିର୍ବାଚନ ତାରିଖ ଘୋଷଣା ସହ ସମଗ୍ର ରାଜ୍ୟରେ ଆଜି ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।

Leave A Reply

Your email address will not be published.