ଭୁବନେଶ୍ୱର,୧୧/୩: ସ୍କୁଲ ବ୍ୟାଗ୍ରେ ଅତ୍ୟଧିକ ବୋଝ ଯୋଗୁ ପିଲାମାନେ ବିଭିନ୍ନ ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପିଲାଙ୍କ କାନ୍ଧରୁ ବସ୍ତାନି ବୋଝ କମାଇବାକୁ ରାଜ୍ୟ ସରକାର ଚିନ୍ତା କରିଛନ୍ତି। ଏଥିପାଇଁ ୨୦୧୯-୨୦ ଶିକ୍ଷାବର୍ଷରୁ ନୂଆ ଗାଇଡ୍ଲାଇନ ଲାଗୁ ହେବ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ଦେଢ଼ କିଲୋରୁ ଅଧିକ ହେବ ନାହିଁ। ସେମାନଙ୍କ ଲାଗି ମାତ୍ର ଦୁଇଟି ବିଷୟ ମାତୃଭାଷା ଓ ଗଣିତ ରଖିବାକୁ କୁହାଯାଇଛି। ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ୨ରୁ ୩ କିଲୋ ମଧ୍ୟରେ ରହିବ। ଏମାନଙ୍କ ଲାଗି ଗଣିତ, ପରିବେଶ ବିଜ୍ଞାନ, ଇଂଲିଶ ଓ ମାତୃଭାଷା, ଏହିଭଳି ୪ଟି ବିଷୟ ରହିବ। ସେହିଭଳି ଷଷ୍ଠ ଓ ସପ୍ତମ ପିଲାଙ୍କ ବ୍ୟାଗ୍ ୪ କିଲୋ, ୮ମ ଓ ୯ମ ପିଲାଙ୍କ ବ୍ୟାଗ୍ ସାଢ଼େ ୪ କିଲୋ ଏବଂ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ୫ କିଲୋରୁ ଅଧିକ ହେବ ନାହିଁ। ଏହାସହ ପିଲାଙ୍କୁ ହୋମ୍ଓ୍ବାର୍କ ଦିଆଯିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ଆଦୌ ହୋମ୍ଓ୍ବାର୍କ ଦିଆଯିବ ନାହିଁ। ଅନ୍ୟ ଶ୍ରେଣୀ ଲାଗି କୌଣସି ବିଷୟ ଶେଷରେ ଦିଆଯାଇଥିବା ଏକ୍ସରସାଇଜ୍କୁ କ୍ଲାସ୍ ରୁମ୍ରେ ଶିକ୍ଷକଙ୍କ ଆଗରେ ସମାଧାନ କରାଯିବ। ଏଥିଲାଗି ସ୍ବତନ୍ତ୍ର ପିରିୟଡ୍ ରଖାଯିବ। ପିଲାମାନେ ଯେପରି ନିଜେ ବୁଦ୍ଧି ଖଟାଇ ପ୍ରଶ୍ନର ସମାଧାନ କରିବେ, ସେଥିଲାଗି ସେମାନଙ୍କୁ ଉତ୍ସାହିତ କରାଯିବ। ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ହୋମ୍ଓ୍ବାର୍କକୁ ନେଇ ସ୍କୁଲଗୁଡ଼ିକ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିବେ। କେବଳ ବିଷୟ ଘୋଷା ନ କରି ପିଲାଙ୍କ ମେଧାର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଏତଦ୍ ବ୍ୟତୀତ ଖେଳକୁଦ ସହ ପ୍ରୋଜେକ୍ଟ, ବିଭିନ୍ନ ସ୍ଥାନ ଭ୍ରମଣ, ବୁକ୍ ରିଭ୍ୟୁ, ସାମ୍ପ୍ରତିକ ବିଷୟରେ ବିତର୍କ ଲାଗି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରାଯିବ। ଗାଇଡ୍ ଓ ଅନ୍ୟାନ୍ୟ ବହି ବ୍ୟବହାରକୁ ନିଷେଧ କରାଯାଇଛି। ସ୍କୁଲଗୁଡ଼ିକ ଷ୍ଟେଟ୍ କାଉନ୍ସିଲ ଅଫ୍ ଏଜୁକେଶନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏସ୍ସିଇଆର୍ଟି) ଦ୍ୱାରା ଅନୁମୋଦିତ ବହି ହିଁ ବ୍ୟବହାର କରିବେ। ନୂତନ ଗାଇଡ୍ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସ୍କୁଲଗୁଡ଼ିକୁ କୁହାଯାଇଛି।