କାଳିଆ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ହିତାଧିକାରୀ : କୃଷିମନ୍ତ୍ରୀ

0

ଭୁବନେଶ୍ୱର,୩୦/୭: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ‘କାଳିଆ’ ଯୋଜନାର ହିତାଧିକାରୀ ଚୟନ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରି ନଥିବା ରାଜ୍ୟ ସରକାରଙ୍କ ଅସଲ ଚେହେରା ଏବେ ପଦାକୁ ଆସିଛି। ‘କାଳିଆ’ ହିତାଧିକାରୀ ତାଲିକାରେ ଯଦି କେହି ଅଯୋଗ୍ୟ ହିତାଧିକାରୀ ଥିବେ ତାହା ଯାଞ୍ଚ କରାଯାଇ ସେମାନଙ୍କୁ ବାଦ୍ ଦିଆଯିବ। ଅଗଷ୍ଟ ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ଚାଲିବ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ଜିଲ୍ଲାସ୍ତରୀୟ କୃଷି ଅଧିକାରୀଙ୍କ ଏକ କର୍ମଶାଳାରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, କାଳିଆ ଯୋଜନାର ନିର୍ଭୁଲ ତାଲିକା ପ୍ରସ୍ତୁତି ଦିଗରେ ସମ୍ପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ। କାଳିଆ ଯୋଜନାରେ ଯଦି କେହି ଅଯୋଗ୍ୟ ହିତାଧିକାରୀ ରହିଥିବେ ଯାଞ୍ଚ କରାଯାଇ ସେମାନଙ୍କୁ ବାଦ୍ ଦିଆଯିବ। ଏହାସହିତ କାଳିଆ ଯୋଜନାରୁ କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ବଞ୍ଚିତ ହେବେ ନାହିଁ, ତାହା ମଧ୍ୟ ସୁନିଶ୍ଚିତ କରାଯିବ। ଶତପ୍ରତିଶତ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ।

ଏବେ ହିତାଧିକାରୀଙ୍କ ତାଲିକାର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ହିତାଧିକାରୀ ଚୟନ ଦାୟିତ୍ୱରେ ଥିବା ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଫାଇଭ-ଟି ସୂତ୍ରକୁ ଆପଣାଇ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଭିନ୍ନ ବିଭାଗ ଯଥା କୃଷି, ରାଜସ୍ୱ, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଏବଂ ଅନ୍ୟ ସହଯୋଗୀ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରକୃତ ହିତାଧିକାରୀ ଚିହ୍ନଟ ଓ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ ତାଲିକା ପ୍ରକାଶ ପାଇବା ପରେ ଯଦି କୌଣସି ତ୍ରୁଟିବିଚ୍ୟୁତି ଥିବ ସେଥିପାଇଁ ସମ୍ପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ଶ୍ରୀ ସାହୁ ସତର୍କ କରାଇ ଦେଇଛନ୍ତି।

ଏବେ କାଳିଆ ଯୋଜନାରେ ୩୬.୩୪ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୪.୭୦ଲକ୍ଷ ଭୂମିହୀନ ଚାଷୀ ପରିବାର, ଏଭଳି ମୋଟ ୫୧ଲକ୍ଷ ୫ହଜାର ୨୯୦ଜଣ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ତେବେ ଏହି ତାଲିକାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚାୟତ /ବ୍ଲକ/ ଜିଲ୍ଲାସ୍ତରର କମିଟି ଦ୍ୱାରା ଚିହ୍ନଟ କରାଯିବାର ଆବଶ୍ୟକତା ରହିଛି। ସେ ସବୁ ଦିଗରେ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର କାଳିଆ ଯୋଜନାରେ ମୋଟ ୭୫ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ ଘୋଷଣା କରିଛନ୍ତି। ମାତ୍ର ଚାଷୀମାନଙ୍କୁ ସହାୟତା ଦେବା ଆଗରୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ତାଲିକାର ପୁନଃସମୀକ୍ଷା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନରେ ଫାଇଦା ଉଠାଇବାକୁ କ୍ଷମତାସୀନ ବିଜେଡି ସରକାର ଆଖିବୁଜି ଅଧିକରୁ ଅଧିକ ଆବେଦନକାରୀଙ୍କୁ ଏହି ତାଲିକାରେ ସାମିଲ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.