କୋଷ୍ଟାଲ ହାଇୱେ ବିବାଦ : କେନ୍ଦ୍ରମନ୍ତ୍ରୀ ଅଭ୍ୟାସଗତ ଭାବେ ମିଛୁଆ – ପ୍ରତାପ ଜେନା

0

ଭୁବନେଶ୍ୱର,୨୩/୧: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିଲ୍ଲୀରେ ଓଡ଼ିଶାର ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ବାବଦରେ କରିଥିବା ଖବରଦାତା ସମ୍ମିଳନୀ କେତେକ ଠିକାଦାରଙ୍କ ଦ୍ୱାରା ପ୍ରାୟୋଜିତ। ଭାଜପା ଏବଂ କେନ୍ଦ୍ରମନ୍ତ୍ରୀ ଅଭ୍ୟାସଗତ ଭାବେ ମିଛୁଆ। ତାଙ୍କ ଦ୍ୱାରା କୋଷ୍ଟାଲ ହାଇୱେ ସମ୍ପର୍କରେ ଦିଲ୍ଲୀରେ ରଖାଯାଇଥିବା ମନ୍ତବ୍ୟ ତାହା ଅମୂଳକ ଓ ଭିତ୍ତିହୀନ। ବିଜେଡିର ବରିଷ୍ଠ ନେତା ତଥା ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟରେ ଏହି ମନ୍ତବ୍ୟ ଦେଇଛନ୍ତି। ।

ପ୍ରତାପ ଜେନା କହିଛନ୍ତି, ତରବରିଆ ଭାବରେ କୋଷ୍ଟାଲ ହାଇୱେର ଟେଣ୍ଡର ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ଚେଷ୍ଟା କରାଯାଉଛି। ଭାଜପା ନିର୍ବାଚନୀ ଖର୍ଚ୍ଚ ବାହାର କରିବା ପାଇଁ ଏହା ଅଭିସନ୍ଧି। ୨୦୧୫ରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏହାର ନିର୍ମାଣକୁ ନେଇ ଯେଉଁ ବିବୃତି ରଖିଥିଲେ, ତାହା କେନ୍ଦ୍ର କ୍ୟାାବିନେଟ୍‌ ଅନୁମୋଦନ ପାଇ ଦୀର୍ଘ ଅଢ଼େଇ ବର୍ଷ ଲାଗିଥିଲା। କାହିଁକି ଏ ପ୍ରକାର ବିଳମ୍ବ ହେଲା, ତାହା କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ରାଜ୍ୟର ପୁରୁଣା ରାସ୍ତାକୁ ନବୀକରଣ କରି ତାହାକୁ କୋଷ୍ଟାଲ ହାଇୱେର ଆଖ୍ୟା ଦେଇ ଏକ ଅସଫଳ ପ୍ରୟାସ କରାଯାଉଛି। ତାହା ପରୋକ୍ଷରେ ଠିକାଦାର ପୋଷିବା ନୀତିକୁ ପଦାରେ ପକାଉଛି। ଓଡ଼ିଶା ସରକାରଙ୍କ ବିନା ଅବଗତରେ ତରବରିଆ ଭାବେ କାର୍ଯ୍ୟ କରାଯାଉଛି। ଏହିପରି ହେଲେ ଉପକୂଳ ଓଡ଼ିଶାର ହଜାର ହଜାର ଘର ଓ ଗାଁ କ୍ଷତିଗ୍ରସ୍ତ ହେବ ବୋଲି ପ୍ରତାପ କହିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ଏନ୍‌ଏଚଏଆଇ ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ପଥ ନିର୍ଦ୍ଧାରଣର ତଥ୍ୟ ଓ ବିବରଣୀ ସହିତ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ମନ୍ତ୍ରୀ ଜେନା ତଥ୍ୟଭିତ୍ତିକ ଉତ୍ତର ରଖି ନ ଥିବା ଅଭିଯୋଗ କରିଛି ଭାଜପା। ରାଜ୍ୟ ସରକାର କୋଷ୍ଟାଲ ହାଇୱେ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁ ନ ଥିବା ଗୋଲକ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.