ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା, ବିଡାନାସୀରୁ ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ; ସଂଖ୍ୟା ପହଞ୍ଚିଲା ୧୯ରେ

ଭୁବନେଶ୍ୱର, ୨୩/୦୬ : ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ଭିଡ଼ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ଆଉ ଏକ ସଫଳତା। ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ତଦନ୍ତକାରୀ ଟିମ୍। କଟକର ବିଡାନାସୀ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବିଭୁତି ଭୂଷଣ ପରିଡା। ଘଟଣାଦିନ ସୌମ୍ୟରଞ୍ଜନଙ୍କୁ ଟ୍ରକ ନିକଟକୁ ନିଆଯାଉଥିବା ବେଳେ ବିଭୁତି ତାଙ୍କୁ ଗୋଇଠା ମାଡ଼ ମାରିଥିଲେ। ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଗୋଟେ ପରେ ଗୋଟେ ଅଭିଯୁକ୍ତଙ୍କୁ ଧରିବା ସହ ଘଟଣାରେ କିଏ କେମିତି ଭୂମିକା ନେଇଥିଲା, ତାହାର ଖୋଜଖବର ନେଉଛି ଟିମ୍। ବିଭୁତି ଭୂଷଣ ପରିଡାଙ୍କ ଗିରଫ ପରେ ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ଏବେ୧୯ରେ ପହଞ୍ଚିଛି। ତଦନ୍ତ ଆଗକୁ ବଢ଼ୁଥିବାରୁ ଆହୁରି କିଛି ଲୋକଙ୍କ ସମ୍ପୃକ୍ତି ନେଇ ଖୋଳତାଡ଼ ଚାଲିଥିବା ସୂଚନା ମିଳିଛି। ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଲଗାତାର କାର୍ଯ୍ୟାନୁଷ୍ଠାନ ଏବେ ସମସ୍ତଙ୍କ ନଜରକୁ ଆସିଛି। ଆଗାମୀ ଦିନରେ ଏହି ମାମଲାରେ ଆଉ କେତେ ଜଣଙ୍କ ନାଁ ସାମ୍ନାକୁ ଆସିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।