ରଥଯାତ୍ରା ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା, ଏଣିକି ଆଧାର ଦେଖାଇଲେ ସିଧା ଶ୍ରୀମନ୍ଦିରକୁ ପ୍ରବେଶ

ଭୁବନେଶ୍ୱର, ୨୩/୦୬ : ରଥଯାତ୍ରା ପାଇଁ ଶ୍ରୀଜଗନ୍ନାଥଙ୍କ ଦର୍ଶନକୁ ଆହୁରି ସୁବ୍ୟବସ୍ଥିତ ଓ ସୁଗମ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ବିଶେଷକରି ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପ୍ରକ୍ରିୟାକୁ ସରଳ କରିବାକୁ ବ୍ୟବସ୍ଥା କରାଯାଉଛି। ମଙ୍ଗଳବାର ଏନେଇ ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଓକାକ୍ (OCAC) ସହଯୋଗରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ପୁରୀ ସହରର ଦୁଇଟି ପୋଷ୍ଟାଲ ପିନ୍‌ କୋଡ୍‌କୁ ଆଧାର କରି ସ୍ଥାନୀୟ ବାସିନ୍ଦାଙ୍କ ଚିହ୍ନଟ କରାଯିବ। ଏହା ଫଳରେ ପୁରୀବାସୀ ନିଜ ଆଧାର କାର୍ଡ ଦେଖାଇ ସହଜରେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ।

ତେବେ ଏହି ସୁବିଧା କେବଳ ପୁରୀ ସହରର ବାସିନ୍ଦାଙ୍କ ପାଇଁ ସୀମିତ ରହିବ। ଯଦି କୌଣସି ବ୍ୟକ୍ତି ନିଜ ସହ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବାକୁ ଚାହିଁବେ, ସେମାନଙ୍କୁ ଏହି ସ୍ୱତନ୍ତ୍ର ସୁବିଧାର ଲାଭ ମିଳିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ରଥଯାତ୍ରା ସମୟରେ ଭକ୍ତଙ୍କ ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥାକୁ ସୁଚାରୁ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ଅନାବଶ୍ୟକ ଅସୁବିଧାରୁ ମୁକ୍ତ ରଖିବା ଲକ୍ଷ୍ୟରେ ଏହି ନୂଆ ପଦକ୍ଷେପ ନିଆଯାଇଛି। ଏହା ଦ୍ୱାରା ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଆହୁରି ଶୃଙ୍ଖଳିତ ହେବ ବୋଲି ଆଶା କରାଯାଉଛି।