ନିଜ ପେଟ ପୋଷଣ ଲାଗି ସମସ୍ତଙ୍କୁ କାମ କରିବାକୁ ପଡ଼ିଥାଏ । ନିଜ ନିଜ ସାମର୍ଥ୍ୟ, ଯୋଗ୍ୟତା ତଥା ରୁଚି ଏବଂ ଆବଶ୍ୟକତାନୁଯାୟୀ ସମସ୍ତଙ୍କୁ କିଛି କିଛି କାମ କରିବାକୁ ପଡ଼ିଥାଏ । ଆଉ ଯେତେବେଳେ ଦିନରେ ଦୁଇ ବେଳା ଖାଦ୍ୟ ମିଳିଯାଏ ପ୍ରାୟତଃ ଲୋକମାନେ ଶାନ୍ତି ଏବଂ ଆନନ୍ଦ ଲାଭ କରିଥାନ୍ତି । କି;ୁ ନିଜ ପେଟ ଭରଣା ପରେ ବି ଅନ୍ୟମାନଙ୍କ ଖାଦ୍ୟ, ପୋଷାକ ବିଷୟରେ ଚିନ୍ତା କରୁଥିବା ଲୋକ ମଧ୍ୟ କିଛିଜଣ ଆମ ଗହଣରେ ରହିଛନ୍ତି । ସେମାନେ ନିଜ ନିଜ ସାମର୍ଥ୍ୟ ଅନୁଯାୟୀ ନିଜର ତଥା ନିଜ ପରିବାରର ପେଟପୋଷଣ ସହ ସେମାନଙ୍କ ଆଖପାଖରେ ଭୋକରେ ସଢ଼ୁଥିବା କିଛି ଲୋକଙ୍କ ପାଇଁ ମଧ୍ୟ ଚିନ୍ତା କରିଥାନ୍ତି । ସେମାନଙ୍କୁ ସେହି ଲୋକମାନେ ସ୍ୱତଃ ଭଗବାନ ଆଖ୍ୟା ଦେଇଥାନ୍ତି । ହଁ ଆମେ କହିବାକୁ ଯାଉଛୁ ଏପରି ଏକ ବ୍ୟକ୍ତିଙ୍କ କଥା, ଯେ କି ନିଜେ ଧନୀକ ଶ୍ରେଣୀର ନ ହୋଇ ବି ପ୍ରତିଦିନ ୪୦୦ ଦରିଦ୍ର, ଭୋକିଲା ଲୋକଙ୍କ ପେଟ ପୋଷଣ କରିବାରେ ଅପାର ଆନନ୍ଦ ଲାଭ କରିଥାଏ । ସେ ହେଉଛନ୍ତି ହାଇଦ୍ରାବାଦର ସଇଦ ଓସମାନ ଅଜହର ମକସୁନି । ସଇଦ ଓସମାନ ଅଜହର ମକସୁନି ୪ ବର୍ଷ ବୟସରୁ ନିଜ ପିତାଙ୍କୁ ହରାଇଥିଲେ । ସେତେବେଳେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଉନ୍ନତ ନ ଥିଲା । ତେଣୁ ସେ ସମୟରେ ସେ ଅନେକ ସମୟରେ ଭୋକିଲା ପେଟରେ ଶୋଇଛନ୍ତି । ସୁତରାଂ ଅତି କମ୍ ବୟସରୁ ସେ ପରିବାରର ଦାୟିତ୍ୱ ନିଜ କାନ୍ଧରେ ଉଠାଇଛନ୍ତି । ଥରେ ସେ ନିଜ କର୍ମକ୍ଷେତ୍ରରୁ ଫେରିବା ବେଳେ ଦେଖିଲେ ଜଣେ ମହିଳା ଭୋକରେ ଆଉଟୁପାଉଟୁ ହେବା । ତାଙ୍କୁ ସେ ଖାଦ୍ୟ ଦେଇ ଅପାର ଆନନ୍ଦ ଲାଭ କରିଥିଲେ । ପରେ ପରେ ସେ ନିର୍ଣ୍ଣୟ ନେଲେ ଯେ ପ୍ରତ୍ୟେହ ୪୦୦ ଲୋକଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇଦେବେ । ସଇଦ ଓସମାନ ଅଜହର ମକସୁନି ଏହି କାମ ୨୦୧୨ ମସିହାରୁ କରିଛନ୍ତି ଯାହାକି ଆଜି ପର୍ଯ୍ୟନ୍ତ ଚଳାଇ ଆସୁଛନ୍ତି । ଏକା ଏକା ଆରମ୍ଭ କରିଥିବା ଏହି କାମରେ ବର୍ତ୍ତମାନ ସଇଦ ଓସମାନ ଅଜହର ମକସୁନି ଅନେକଙ୍କ ସହଯୋଗ ପ୍ରାପ୍ତ କରିଛନ୍ତି । ତତ୍ ସଙ୍ଗେ ସଙ୍ଗେ ହାଇଦ୍ରାବାଦରୁ ଆରମ୍ଭ ହୋଇଥିବା ଏହି ମହତ୍ କାର୍ଯ୍ୟ ବର୍ତ୍ତମାନ କର୍ଣ୍ଣାଟକ, ଆସାମ ଏବଂ ଝାରଖଣ୍ଡରେ ମଧ୍ୟ ପ୍ରସାରିତ ହେଲାଣି ।