ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଧୋନୀଙ୍କ ଚୟନ ସମ୍ଭାବନା ବହୁତ କମ

ନୂଆଦିଲ୍ଲୀ,୨୮/୮: ମହେନ୍ଦ୍ର ସିଂହ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇନଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେପ୍ଟେମ୍ବର ୧୫ରୁ ଧର୍ମଶାଳା ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ତାଙ୍କୁ ଦଳରେ ଚୟନ କରାଯିବା ସମ୍ଭାବନା କମ ରହିଛି। ଉକ୍ତ ଶୃଙ୍ଖଳା ପାଇଁ ଦଳର ଚୟନ ସେପ୍ଟେମ୍ବର ୪ରେ ହେବାର ଆଶା ରହିଛି।ଳ ଅନ୍ୟ ଦୁଇଟି ମ୍ୟାଚ୍ ସେପ୍ଟେମ୍ବର ୧୮ରେ ମୋହାଲି ଓ ତୃତୀୟ ମ୍ୟାଚ୍ ସେପ୍ଟେମ୍ବର ୨୨ରେ ବେଙ୍ଗାଲୁରୁରେ ଖେଳାଯିବ।

ଏହାର ସମ୍ଭାବନା ଅଧିକ ରହିଛି ଯେ ଓ୍ଵେଷ୍ଟଇଣ୍ଡିଜକୁ ୩-୦ରେ ହରାଇଥିବା ଦଳକୁ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାରେ ଜାରି ରଖାଯିବ। ମାତ୍ର ଏହା ଖେଳାଳିଙ୍କ ଫିଟନେସ୍ ଉପରେ ନିର୍ଭର କରେ। ୨୦୨୦ରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵକପକୁ ଦୃଷ୍ଟିରେ ରଖି ଚୟନକର୍ତ୍ତା ଦଳ ଚୟନ କରିବାକୁ ଚାହୁଁଛି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିଶ୍ଵ ଟି-୨୦ର ପ୍ରଥମ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ୨୨ଟି ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚ୍ ଖେଳିବ। ତେଣୁ ଚୟନକର୍ତ୍ତା ଏସବୁକୁ ଦୃଷ୍ଟିରେ ରଖି ଦଳ ଚୟନ କରିବେ।

ଅଧିକାରୀ କହିଛନ୍ତି ଯେ, ସେ ସୀମିତ ଓଭର କ୍ରିକେଟ୍ ପାଇଁ ବିଶେଷ କରି ଟି-୨୦ ପାଇଁ ତିନି ଜଣ ଓ୍ଵିକେଟ୍ କିପରର ପୁଲ ପ୍ରସ୍ତୁତ କରିବାକୁ ଯୋଜନା କରୁଛି। ବିସିସିଆଇ ଅଧିକାରୀ କିମ୍ବା ଚୟନ ସମିତି ତାଙ୍କର ଯୋଜନା ବିଷୟରେ ଜାଣିବା ପାଇଁ ଧୋନୀଙ୍କ ସହ ଯୋଗାଯୋଗ କରିଛନ୍ତି ନା ନାହିଁ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ।

ଅଧିକାରୀ କହିଛନ୍ତି ସନ୍ନ୍ୟାସ ନେବା ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ଚୟନକର୍ତ୍ତା କିମ୍ବା ଅନ୍ୟ କାହାରିକୁ ମଧ୍ୟ ଏହା ଉପରେ ନିଷ୍ପତ୍ତି ନେବାର ଅଧିକାର ନାହିଁ। ମାତ୍ର ଅଧିକାରୀଙ୍କ ପାଖରେ ୨୦୨୦ ବିଶ୍ଵ ଟି-୨୦ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାର ଅଧିକାର ରହିଛି। ଫଳରେ ଋଷଭ ପନ୍ତଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା ଉଚିତ୍।

ସୂଚନା ମୁତାବକ ଚୟନକର୍ତ୍ତାଙ୍କ ଦ୍ଵିତୀୟ ବିକଳ୍ପ ହେଉଛନ୍ତି ଇଶାନ କିଶନ ଏବଂ ତୃତୀୟ ବିକଳ୍ପ ହେଉଛନ୍ତି ସଞ୍ଜୁ ସାମସନ। ସାମସନଙ୍କ ବ୍ୟାଟିଂ ପନ୍ତ ଓ ଭାରତ ଏ ପାଇଁ ନିୟମିତ ଖେଳୁଥିବା ଇଶାନ କିଶନଙ୍କ ସହିତ ବରାବର ରହିଛି। ପନ୍ତ ସବୁ ଫର୍ମାଟ ପାଇଁ ପ୍ରଥମ ବିକଳ୍ପ ରହିବେ କାରଣ ଚୟନକର୍ତ୍ତା ଫିଟନେସ୍ ଓ କାର୍ଯ୍ୟଭାର ପ୍ରବନ୍ଧନକୁ ମଧ୍ୟ ଧ୍ୟାନରେ ରଖିବେ।

ଚୟନ ସମିତିର କିଛି ସଦସ୍ୟ ଭାରତୀୟ ଏ ଦଳର ସିରିଜ୍ ପାଇଁ ତିରୁଅନନ୍ତପୁରମରେ ରହିବେ ଏବଂ ସାମସନଙ୍କ ପ୍ରଦର୍ଶନ ଦେଖିବେ କାରଣ ସେ ଅନ୍ତିମ ଦୁଇଟି ଲିଷ୍ଟ ଏ ମ୍ୟାଚ୍ ପାଇଁ ଦଳରେ ସ୍ଥାନ ପାଇଛନ୍ତି। ଚୟନକର୍ତ୍ତାଙ୍କ ମାନିବା କଥା ଏହା ଯେ ସାମସନ ଶୀର୍ଷ ସ୍ତରର କ୍ରିକେଟ୍ ପାଇଁ ପ୍ରସ୍ତୁତ, ମାତ୍ର ତାଙ୍କର ଓ୍ଵିକେଟ୍ କିପିଂରେ ଏବେ ମଧ୍ୟ ସୁଧାର ହେଉଛି।