ନୂଆଦିଲ୍ଲୀ, ୨୩/୦୮ : ଆଜିଠୁ ଆରମ୍ଭ ହେବ ଦ୍ବିତୀୟ ଟେଷ୍ଟ । ଦୀର୍ଘ ୩ ବର୍ଷ ପରେ ପ୍ରଥମ ବିଦେଶ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ । ଗଲ୍ ରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମ୍ୟାଚ୍ କୁ ୧୬୫ ରନ୍ ରେ ଜିତି ଶୁବମନ ଗିଲଙ୍କ ଯୁବ ବାହିନୀ ୧-୦ରେ ଆଗୁଆ ରହିଛି । ସେହି ଦୃଷ୍ଟିରୁ ଦ୍ବିତୀୟ ଟେଷ୍ଟ୍ କୁ ଜିତିଲେ କିମ୍ବା ଅନ୍ୟୂନ ଡ୍ର’ କଲେ ମଧ୍ୟ ଶୃଙ୍ଖଳା ବିଜୟର ସ୍ବାଦ ଚାଖିବ । ଅନ୍ୟପକ୍ଷରେ ଘରୋଇ ଶ୍ରୀଲଙ୍କା କଲମ୍ବୋରେ ବିଜୟ ଧାରାକୁ ଫେରି ଶୃଙ୍ଖଳାକୁ ୧-୧ରେ ଅମୀସାଂସିତ ରଖିବା ଆଶା ନେଇ ପଡ଼ିଆକୁ ଓହ୍ଲାଇବ । ଭାରତ ଶେଷଥର ପାଇଁ ୨୦୨୩ ଜୁଲାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଦେଶ ମାଟିରେ ଟେଷ୍ଟ୍ ସିରିଜ୍ ଜିତିଥିଲା । ଏହାପରେ ଅଷ୍ଟ୍ରେଲିଆଠାରୁ ସିରିଜ୍ ହାରିଥିବା ବେଳେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ବିପକ୍ଷ ବିଦେଶ ସିରିଜ୍ ଡ୍ର’ ରହିଥିଲା । ତେଣୁ କଲମ୍ବୋରେ ଆଉ ଏକ ଆଧିପତ୍ୟଭରା ବିଜୟ ହାସଲ କରି ଶ୍ରୀଲଙ୍କାକୁ ଏକତରଫା ଭାବେ ୨-୦ରେ ହରାଇବା ଭାରତୀୟ ଦଳ ପାଇଁ କିନ୍ତୁ ଅଧିକ ଗୁରୁତ୍ୱ ବହନ କରିବ। ପ୍ରଥମ ଟେଷ୍ଟ୍ ବିଜୟ ପରେ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ିଛି ।
ବ୍ୟକ୍ତିଗତ ଭାବେ ଗିଲ୍ ନିଜେ ଭଲ ଫର୍ମରେ ସୁଧାର ଆଣିବା ଯୋଜନାରେ ରହିବେ । ଆଜିର ମ୍ୟାଚରେ ବଡ଼ ପାଳି ଖେଳି ନିଜ ସାମ୍ପ୍ରତିକ ଦୁର୍ବଳତା ଦୂର କରିବାକୁ ସେ ବ୍ୟଗ୍ର ରହିବେ। ଅନ୍ୟପକ୍ଷରେ ଓପନର୍ ଯଶସ୍ୱୀ ଜୟସ୍ୱାଲଙ୍କ ଫର୍ମ ମଧ୍ୟ ଚିନ୍ତାର କାରଣ । ଗତବର୍ଷ ନୂଆଦିଲ୍ଲୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶତକ ହାସଲ କରିବା ପରେ ତାଙ୍କ ଶେଷ ୮ ଇନିଂସ୍ ରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ରହିଛି। ଗଲ୍ ଟେଷ୍ଟରେ ମଧ୍ୟ ସେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ । ସେଥିପାଇଁ ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ନେଟ୍ସରେ ତାଙ୍କ ବ୍ୟାଟିଂ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର । ବୋଲିଂ ବିଭାଗରେ ମଧ୍ୟ ଭାରତ ସାମ୍ନାରେ ଚୟନ ଦ୍ୱନ୍ଦ୍ୱ ରହିଛି । ପ୍ରଥମ ଟେଷ୍ଟ୍ ରେ କୁଲଦୀପ ଯାଦବ ୨୫ ଓଭର ବୋଲିଂ କରି ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ । ସେ ପ୍ରତି ଓଭରରେ ୪ରୁ ଅଧିକ ରନ୍ ବ୍ୟୟ କରିଥିଲେ । ତେଣୁ ତାଙ୍କ ସ୍ଥାନରେ ଅଫ୍ ସ୍ପିନର୍ ସାରାଂଶ ଜୈନଙ୍କୁ ସୁଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଶ୍ରୀଲଙ୍କା ଦଳରେ ଅନେକ ବାମହାତୀ ବ୍ୟାଟର୍ ଥିବାରୁ ସାରାଂଶଙ୍କୁ ଖେଳାଇବା ଏକ ରଣନୀତିକ ପଦକ୍ଷେପ ହୋଇପାରେ । ତେବେ ଗୋଟିଏ ମ୍ୟାଚ୍ ପରେ ଅଭିଜ୍ଞ କୁଲଦୀପଙ୍କୁ ବାଦ୍ ଦେବା ନେଇ ଦଳ ପରିଚାଳନା କେତେ ଦୂର ଯିବ, ତାହା ଦେଖିବାକୁ ପଡ଼ିବ। କଲମ୍ବୋର ପିଚ୍ କୁ ଦେଖି ଚୂଡ଼ାନ୍ତ ଏକାଦଶ ନିର୍ଦ୍ଧାରଣ ହେବ।