ଦୁବାଇ,୩/୨: ଭାରତୀୟ ଦଳରେ ମହେନ୍ଦ୍ର ସିଂହ ଧୋନୀଙ୍କ ଭୂମିକା କଣ ରହିଛି ତାହା କାହାକୁ ଅଛପା ନୁହେଁ। ଧୋନୀ ମ୍ୟାଚ୍ ପରେ ମ୍ୟାଚ୍ ନିଜକୁ ଓ୍ଵିକେଟ୍ ପଛରେ ଓ ବ୍ୟାଟରେ ମଧ୍ୟ ନିଜକୁ ପ୍ରମାଣିତ କରି ଆସୁଛନ୍ତି। ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଧୋନୀଙ୍କ ବ୍ୟାଟ୍ ଶାନ୍ତ ରହିଥିଲା, ମାତ୍ର ଯେବେ ସେ ଓ୍ଵିକେଟ୍ ପଛକୁ ଆସିଲେ ନିଜର ବୁଦ୍ଧିମତା ଓ ଚପଳତା ଜରିଆରେ ଭାରତୀୟ ଦଳରେ ନିଜର ଉପଯୋଗିତାକୁ ସାବ୍ୟସ୍ତ କରିଥିଲେ। ଏଥର ଧୋନୀଙ୍କ ଚପଳତାର ଶିକାର ହୋଇଛନ୍ତି ଜିମି ନିଶାନ।
କିଓ୍ଵି ଦଳ ପକ୍ଷରୁ ସର୍ବାଧିକ ୪୪ ରନ କରି ଜିମି ନିଶାନ ଅର୍ଦ୍ଧଶତକ ଆଡକୁ ବଢୁଥିଲେ। ଏହି ସମୟରେ କେଦାର ଯାଦବ ବୋଲିଂ କରୁଥିଲେ ଏବଂ କିଓ୍ଵି ପାଳିର ୩୭ମ ଓଭର ଚାଲିଥିଲା। ଯାଦବଙ୍କ ଦ୍ଵିତୀୟ ବଲରେ ନିଶାନ ସ୍ଵିପ୍ ଖେଳିବାକୁ ପ୍ରୟାସ କରିଥିଲେ। ମାତ୍ର ସେ ବୋଲିଂର ଲାଇନକୁ ସଂପୂର୍ଣ୍ଣ ଭାବେ ମିସ୍ କରିଥିଲେ ଏବଂ ବଲ ତାଙ୍କ ପ୍ୟାଡରେ ବାଜିଥିଲା। ଏହା ପରେ ଏଲବିଡବ୍ଲ୍ୟୁ ପାଇଁ ଧୋନୀ ଓ ଯାଦବ ଜୋରଦାର ଅପିଲ କରିଥିଲେ। ଏହି ସମୟରେ ଧୋନୀ ବଲକୁ ନିଜ ଗ୍ଲୋଭ୍ସରେ ଧରି ପାରିନଥିଲେ। ମାତ୍ର ବଲ ତାଙ୍କ ପାଖାପାଖି ରହିଥିଲା। ଏହା ମଧ୍ୟରେ ନିଶାନଙ୍କୁ ଲାଗିଥିଲା ଯେ ଧୋନୀ ଅପିଲ କରିବା କାରଣରୁ ବଲ ଉପରୁ ଧ୍ୟାନ ହଟାଇ ନେଇଛନ୍ତି, କିନ୍ତୁ ଧୋନୀ ଅପିଲ ସହିତ ବଲ ଉପରେ ନଜର ରଖିଥିଲେ।