ନୂଆଦିଲ୍ଲୀ,୧୫/୭: ସେମି ଫାଇନାଲରେ ନ୍ୟୁଜିଲାଣ୍ଡଠୁ ପରାଜିତ ହୋଇ ବିଶ୍ଵକପ ୨୦୧୯ରୁ ବାହାର ହେବା ପରେ ଭାରତୀୟ ଦଳରେ ବଡ଼ ଧରଣର ପରିବର୍ତ୍ତନ ହେବାର ସଙ୍କେତ ମିଳିଛି। ଏବେ ବିସିସିଆଇ କିଛି ବଡ଼ ନିଷ୍ପତ୍ତି ନେବାକୁ ବିବଶ ହୋଇଛି। ବୋର୍ଡର ଜଣେ ଅଧିକାରୀଙ୍କ ମୁତାବକ, ଭାରତୀୟ ଦଳରେ ଅନେକ ପରିବର୍ତ୍ତନ କରାଯାଇପାରେ। ଖବର ଏହା ମଧ୍ୟ ରହିଛି ଯେ, ବିରାଟ କୋହଲିଙ୍କୁ ଅଧିନାୟକ ପଦ ହରାଇବାକୁ ପଡ଼ିପାରେ।
ଅଧିକାରୀଙ୍କ ଅନୁଯାୟୀ, ବିରାଟ କୋହଲିଙ୍କୁ ହଟାଯାଇ ରୋହିତ ଶର୍ମାଙ୍କୁ ଦଳର ଦିନିକିଆ ଓ ଟି-୨୦ର ନିୟମିତ ଅଧିନାୟକ କରାଯାଇପାରେ। କୋହଲି କେବଳ ଟେଷ୍ଟ ଅଧିନାୟକ ପଦରେ ରହିବେ। ବୋର୍ଡ ଏହି ପରିବର୍ତ୍ତନ ଏଥିପାଇଁ ମଧ୍ୟ କରିପାରେ କାରଣ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵକପ ଏବଂ ୨୦୨୩ରେ ଭାରତରେ ଦିନିକିଆ ବିଶ୍ଵକପ ଖେଳାଯିବ। ଏହି ମହତ୍ଵପୂର୍ଣ୍ଣ ଟୂର୍ଣ୍ଣାମେଣ୍ଟକୁ ଧ୍ୟାନରେ ରଖି ରୋହିତ ଶର୍ମାଙ୍କୁ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ କରାଯାଇପାରେ।
ଉଲ୍ଲେଖଯୋଗ୍ୟ, ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା ଅଧିନାୟକ ଦାୟିତ୍ଵ ସମ୍ଭାଳି ଆସିଛନ୍ତି। ରୋହିତଙ୍କ ଅଧିନାୟକତ୍ଵରେ ଭାରତ ଗତ ବର୍ଷ ଏସିଆ କପ୍ ବିଜେତା ହୋଇଥିଲା। ଏହା ସହିତ ଦଳ ଶ୍ରୀଲଙ୍କାରେ ତ୍ରିକୋଣୀୟ ନିଦହାସ ଟ୍ରଫିରେ ମଧ୍ୟ ବିଜୟୀ ହୋଇଥିଲା। ଏହା ସହିତ ରୋହିତଙ୍କ ନେତୃତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସ ଚାରି ଥର ଆଇପିଏଲ ଚମ୍ପିଆନ ହୋଇଛି।
ଯଦି ବିସିସିଆଇ ଦୁଇଟି ଅଧିନାୟକ ଫର୍ମୁଲା ଆପଣାଏ ତେବେ ଏହା ଦଳରେ ପ୍ରଥମ ଥର ଘଟିବ ନାହିଁ। ଏହା ପୂର୍ବରୁ ଅନିଲ କୁମ୍ବଲେ ଟେଷ୍ଟ ଦଳର ଅଧିନାୟକ ରହିଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ସୀମିତ ଓଭର କ୍ରିକେଟର ଅଧିନାୟକ ରହିଥିଲେ। ମାହିଙ୍କ ଟେଷ୍ଟରୁ ଅବସର ପରେ କୋହଲିଙ୍କୁ ଟେଷ୍ଟ ଦଳର ଦାୟିତ୍ଵ ଦିଆଯାଇଥିଲା। ଏହା ପରେ ଧୋନୀ ନିୟମିତ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ରହିଥିଲେ।