ଭାଇର ଚାପୁଡ଼ାରେ ଭଉଣୀର ମୃତ୍ୟୁ, ୫ ଗିରଫ

0

ନୂଆପଡ଼ା,୧୮/୪ : ଭାଇର ଚାପୁଡ଼ାରେ ଭଉଣୀର ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାରେ। ଗାଁ ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ନଦୀ ପଠାରୁ ପାଉଁଶ ଓ ହାଡ଼ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି।

ପୂରା ଘଟଣାଟି ଏମିତି। ଗତ ୧୩ ତାରିଖରେ ଖଡ଼ିଆଳ ଥାନା ଅନ୍ତର୍ଗତ ନେହେନା ଗାଁରେ ଦୁର୍ବାରଞ୍ଜନ ଦଣ୍ଡସେନାଙ୍କ ଝିଅ ଅଙ୍କିତା (୧୪) ରାମନବମୀ ଉପଲକ୍ଷେ ହେଉଥିବା ନାମଯଜ୍ଞ ଦେଖିଯିବା ପାଇଁ ଭାଇ ମୁଚୁକୁନ୍ଦଙ୍କୁ କହିଥିଲେ। ମାତ୍ର ମୁଚୁକୁନ୍ଦ ରୋକଠୋକ ମନା କରି ଦେଇଥିଲେ। କିନ୍ତୁ ସେ ନାମଯଜ୍ଞ ଦେଖିବାକୁ ଯିବା ପାଇଁ ଜିଦ୍‌ ଧରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମୁଚୁକୁନ୍ଦ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଫଳରେ ସେ ଚେତା ହରାଇ ପଡ଼ି ଯାଇଥିଲେ। ଅଙ୍କିତା ମରିଯାଇଥିବା ଭାବି ମୁଚୁକୁନ୍ଦ ତାଙ୍କୁ ଏକ ଘରେ ପୂରାଇ ରଖିଥିଲେ। ତା’ପରେ ଦିନ ସେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ।

ଘଟଣା ଲୋକଲୋଚନକୁ ଆସିଯିବା ଭୟରେ ପରିବାର ଲୋକେ ମୃତଦେହକୁ ନଦୀ ପଠାରେ ପୋଡ଼ି ଦେଇଥିଲେ। ଗାଁ ଲୋକେ ଅଙ୍କିତାଙ୍କ ମୃତ୍ୟୁ ସମ୍ପର୍କରେ ଟେର୍‌ ପାଇ ନ ଥିଲେ। ତେବେ ଗାଁରେ ତାଙ୍କୁ ଦେଖିବାକୁ ନପାଇ ଲୋକେ ତାଙ୍କ ପରିବାର ଉପରେ ସନ୍ଦେହ କରିଥିଲେ। ଗତକାଲି ଗଣେଶ ରାମ ବାଗ ନାମକ ଜଣେ ବ୍ୟକ୍ତି ଖଡ଼ିଆଳ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ।

SBI AD
Leave A Reply

Your email address will not be published.