ମୁମ୍ବାଇ, ୧୮/୧୨ : ମୁମ୍ବାଇର ଅନ୍ଧେରିସ୍ଥିତ ଇଏସଆଇସି କାମଗାର ହସ୍ପିଟାଲରେ ଗତକାଲି ଘଟିଥିବା ଭୟାବହ ଅଗ୍ନୀକାଣ୍ଡରେ ମୃତୁ୍ୟ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଗତକାଲି ମୃତୁ୍ୟ ସଂଖ୍ୟା ୬ ଥିବା ବେଳେ ଆଜି ତାହା ୮ରେ ପହଁଚିଛି । ମୃତକଙ୍କ ମଧ୍ୟରେ ଏକ ୨ ମାସର ଶିଶୁ ମଧ୍ୟ ଥିବା ଜଣା ପଡିଛି । ଅନ୍ୟପକ୍ଷରେ ଏହି ଅଗ୍ନୀକାଣ୍ଡରେ ଆହାତ ହୋଇଥିବା ୧୪୭ ଜଣଙ୍କୁ ମୁମ୍ବାଇର ଅଲଗା ଅଲଗା ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଆହାତଙ୍କ ମଧ୍ୟରେ ଅଧିକାଂଶ ହସ୍ପିଟାଲର କର୍ମଚାରୀ ଏବଂ ସେଠାରେ ଚିକିତ୍ସିତ ହେଉଥିବା ରୋଗୀ ଥିବା ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ୭ ହିଲ୍ସ ହସ୍ପିଟାଲରେ ହୋଇଥିବା ବେଳେ ୨ ଜଣ କପର ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦-୧୦ ଲକ୍ଷ ଏବଂ ଗୁରୁତର ଆହାତମାନଙ୍କୁ ୨-୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଆହାତମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାର ଘୋଷଣା କରାଯାଇଛି । ୫ ମହଲା ବିଶିଷ୍ଟ ଇଏସଆଇସି କାମଗାର ହସ୍ପିଟାଲର ୪ର୍ଥ ମହଲରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନୀକାଣ୍ଡ ସମୟରେ ଉକ୍ତ ହସ୍ପିଟାଲରେ ୧୬୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ । ସୂଚନା ପାଇ ଅଗ୍ନିସମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଏହି ଅଗ୍ନିକାଣ୍ଡ ପରେ ୧୪୭ ଜଣ ଲୋକଙ୍କୁ ଜରୁରୀକାଳୀନ ଅବସ୍ଥାରେ ଉଦ୍ଧାର କରାଯାଇଛି । ଅଗ୍ନିସମ ବିଭାଗର ଅଧିକାରୀମାନେ ସିଡି ସାହାଯ୍ୟରେ ହସ୍ପିଟାଲର ବିଭିନ୍ନ ମହଲରୁ ଲୋକଙ୍କୁ ଉଦ୍ଧାର କରିଥିଲେ । ଏହି ଅଗ୍ନିକାଣ୍ଡକୁ ଆୟତ କରିବାକୁ ୧୦ଟି ଫାୟାର ଇଞ୍ଜିନ୍, ୬ଟି ଟ୍ୟାଙ୍କର ବ୍ୟବହାର କରାଯାଇଥିଲା । ଏହି ଭୟାବହ କାଣ୍ଡରୁ ଲୋକଙ୍କୁ ଉଦ୍ଧାର କରିବା ସହ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ପାଇଁ ୧୬ ଟି ଆମ୍ବୁଲାନ୍ସ ବ୍ୟବହାର କରାଯାଇଥିଲା ।