ନୂଆଦିଲ୍ଲୀ, ୨୯/୦୭ : ଦୀର୍ଘ ଦୁଇ ବର୍ଷ ପରେ ଆତ୍ମଗୋପନ କରିଥିବା ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ୱଦେଶ ଫେରିବାକୁ ଘୋଷଣା କରିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଅର୍ଥାତ ଡିସେମ୍ବର ମଧ୍ୟରେ ସେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିବେ । ସେଠାରେ ତାଙ୍କୁ ଜେଲ ଦଣ୍ଡାଦେଶ ହେଉ କିମ୍ବା ମୃତ୍ୟୁ ଦଣ୍ଡ ସେ ସମସ୍ତ କଠିନ ନିଷ୍ପତ୍ତିର ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ୨୦୨୪ ଅଗଷ୍ଟ ମାସରେ ସଂରକ୍ଷଣ ପ୍ରତ୍ୟାହୃତ ଦାବିରେ ହୋଇଥିବା ଦଙ୍ଗା ପରେ ଶେଷ ହସିନା ବାଂଲାଦେଶରୁ ପଳାୟନ କରି ଭାରତର ଶରଣ ପଶିଥିଲେ । ସେ ଦିଲ୍ଲୀର ଏକ ଅଜ୍ଞାତ ସ୍ଥାନରେ ଦୁଇ ବର୍ଷ ହେବ ଆତ୍ମଗୋପନ କରିଛନ୍ତି । ତେବେ ଡିସେମ୍ବର ସୁଦ୍ଧା ନିଜ ଦେଶକୁ ଫେରିବେ ବୋଲି ଏଏଫପିର ପ୍ରଶ୍ନରେ ଇ-ମେଲ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି । ହସିନା କହିଛନ୍ତି, “ମୋତେ ହତ୍ୟା କରାଯାଇପାରେ । ମୋତେ ଗିରଫ କରାଯାଇପାରେ । ମୋତେ ଜେଲ ମଧ୍ୟ ହୋଇପାରେ । ତଥାପି ମୁଁ ଫେରିବାକୁ ଚାହୁଁଛି, କାରଣ ସେଠାରେ ମୋ ଲୋକେ ମୋତେ ଡାକୁଛନ୍ତି । ମୋ ଭାଗ୍ୟ ବିଷୟରେ ମୁଁ ଭଲ ଭାବେ ଅବଗତ ଅଛି” ।
୨୦୨୪ ବାଂଲାଦେଶରେ ହୋଇଥିବା ନରସଂହାର ମାମଲାରେ ବାଂଲାଦେଶ ଇଣ୍ଟରନ୍ୟାସନାଲ୍ କ୍ରାଇମ୍ ଟ୍ରିବୁନାଲ ହସିନାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ କମଲଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଛି। ପୂର୍ବତନ ପୋଲିସ ମୁଖ୍ୟ ଚୌଧୁରୀ ଅବଦୁଲ୍ଲା ଅଲ-ମାମୁନଙ୍କୁ ପାଞ୍ଚ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହି ହିଂସାତ୍ମକ ଆନ୍ଦୋଳନରେ ପ୍ରାୟ ୧୪୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସଂରକ୍ଷଣ ହଟାଇବା ଦାବିରେ ଏନସିପି ଛାତ୍ର ସଙ୍ଗଠନ ଓ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ବିକ୍ଷୋଭ କରିଥିଲେ । ହସିନା ସରକାର ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅଗଷ୍ଟ ୫, ୨୦୨୪ରେ ବାଂଲାଦେଶ ଜାରି ରହିଥିବା ହିଂସା ଭିତରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଥିଲେ । ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ହସିନା ବାଂଲାଦେଶରୁ ଲୁଚି ପଳାଇ ଆସିଥିଲେ ଏବଂ ଭାରତରେ ଆତ୍ମଗୋପନ କରିଥିଲେ ।
