ଶ୍ରୀଲିଙ୍ଗରାଜ ମନ୍ଦିରରେ ବସିବ ବର୍ଜ୍ୟବସ୍ତୁ ପରିଚାଳନା ମେସିନ୍‌

ପୁରୁଣା ଭୁବନେଶ୍ୱର,୬/୧୨: ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜା ପରେ ବାହାରୁଥିବା ପାଦୁକ, ବେଲପତ୍ର, କଦଳୀ ଚୋପାକୁ ଆଉ ଏଣେ ତେଣେ ଫିଙ୍ଗାଯିବ ନାହିଁ। ବଳକା ଅବଢ଼ା, କଦଳୀପତ୍ରକୁ ଡଷ୍ଟ୍‌ବିନ୍‌ରେ ପକାଯିବ ନାହିଁ। ମନ୍ଦିର ପରିସରରେ ବସିବ ବର୍ଜ୍ୟବସ୍ତୁ ପରିଚଳନା ମେସିନ୍‌। ଏହି ମେସିନ୍‌ ଦ୍ବାରା ଏହି ସବୁ ବର୍ଜ୍ୟ ସାମଗ୍ରୀରୁ ସାର ପ୍ରସ୍ତୁତ କରାଯିବ। ମନ୍ଦିର ଟ୍ରଷ୍ଟ ବୋର୍ଡର ଜଣେ ସଭ୍ୟଙ୍କ ସୂଚନା ଅନୁଯାୟୀ ମନ୍ଦିରରୁ ପ୍ରତିଦିନ ପାଖାପାଖି ଗୋଟିଏ ଟ୍ରକ୍‌ ପାଦୁକ ବାହାରୁଛି। ଶ୍ରାବଣ ମାସ, ମହା ଶିବରାତ୍ରି ଆଦି ପର୍ବ ପର୍ବାଣୀରେ ୫ରୁ ୭ଟ୍ରକ୍‌ ଆବର୍ଜନା ବାହରୁଛି। ଠାକୁରଙ୍କ ଉପରେ ଲାଗି ହେଉଥିବା ବେଲପତ୍ର, କଦଳୀ, ଛଡ଼ା ଫୁଲ ଆଦିକୁ ହାଟ ନିକଟ ଡଷ୍ଟ୍‌ବିନ୍‌ରେ ପକାଯାଉଛି। ସେହିପରି ଆନନ୍ଦ ବଜାରରୁ ବାହାରୁଥିବା ଅଇଁଠା ପତ୍ର ଓ ବଳକା ଅବଢ଼ାକୁ ମଧ୍ୟ ବାହାରେ ଫିଙ୍ଗା ଯାଉଛି। ଠାକୁରଙ୍କୁ ଲାଗି ହେଉଥିବା ପାଦୁକ ଡଷ୍ଟବିନ୍‌ରେ ଫିଙ୍ଗା ହେବାରୁ ତାହା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ କରୁଛି। ତେବେ ଏହି ପାଦୁକକୁ ଆଉ ସାଧାରଣ ଡ‌ଷ୍ଟବିନ୍‌ରେ ପକାଯିବ ନାହିଁ। ସେଥିରୁ ସାର ତିଆରି କରାଯାଇ ଗଛମୂଳରେ ଦିଆଯିବ। ପାୱାର୍‌ ଗ୍ରିଡ୍‌ କର୍ପୋରେସନ୍‌ ଅଫ୍ ଇଣ୍ଡିଆ ନାମକ ଏକ କମ୍ପାନି ଏହି ମେସିନ୍‌ ବସାଇବା ଦାୟିତ୍ବ ନେଇଥିବା ମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ମେସିନ୍‌ରେ ୨୪ ଘଣ୍ଟା ରହିବା ପରେ ଏହି ବର୍ଜ୍ୟ ସାମଗ୍ରୀ ସାରରେ ପରିଣତ ହୋଇଯିବ। ମେସିନ୍‌ର ଚଉଡ଼ା ୧୨ଫୁଟ୍‌ ଓ ଲମ୍ବା ୧୦ଫୁଟ୍ ରହିବ।