ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଭୁବନେଶ୍ୱର, ୨୭/୦୮ : ଭୁବନେଶ୍ୱର ପୋଲିସ ଉପଆୟୁକ୍ତ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ମୀନାଙ୍କ ଇସ୍ତଫାକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ଅନ୍ତିମ ମୋହର ପାଇଁ ପଠାଇ ଦେଇଛନ୍ତି । ୨୦୧୩ ବ୍ୟାଚ, ଆଇପିଏସ୍ ମୀନା ବ୍ୟକ୍ତିଗତ କାରଣ ଦର୍ଶାଇ ଗତ ଜୁନ ମାସରେ ସେ ଚାକିରୀରୁ ଇସ୍ତଫା ଦେଇଥିଲେ । ସେବେଠାରୁ ଗୃହ ବିଭାଗ ନିକଟରେ ତାଙ୍କର ଇସ୍ତଫା ପତ୍ର ରହିଥିଲା । ଶେଷରେ ଗୃହ ବିଭାଗ ଇସ୍ତଫାକୁ ଗ୍ରହଣ କରି କେନ୍ଦ୍ରକୁ ପଠାଇ ଦେଇଛି ।

ଆଇପିଏସ୍ ଜଗମୋହନ ମୀନା ଜଣେ ଦକ୍ଷ ଆଇପିଏସ୍ ଅଧିକାରୀଭାବେ ବେଶ ପରିଚିତ । ଆଉ ମାତ୍ର ୬ ମାସ ପରେ ସେ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇଥାଆନ୍ତେ । ମାତ୍ର ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ସେ ଦୈତନଗର କଟକ ଓ ଭୁବନେଶ୍ୱର ସହିତ ଚାରୋଟି ଜିଲ୍ଲା ମାଲକାନଗିରି, ଅନୁଗୋଳ ଓ ଗଞ୍ଜାମ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଭାବେ ସଫଳତାର ସହିତ କାର୍ଯ୍ୟ କରିସାରିଛନ୍ତି । ଏହା ସହିତ କେସିଙ୍ଗା ଏସଡିପିଓଭାବେ କାର୍ଯ୍ୟ କରିଛନ୍ତି । ସେ ଆଇପିଏସ୍ ପାଇବା ପରେ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଟ୍ରେନି ଅଧିକାରୀଭାବେ ଯୋଗ ଦେଇଥିଲେ । ତାଙ୍କ କାର୍ଯ୍ୟ ଦକ୍ଷତା ଦେଖି ରାଜ୍ୟ ସରକାର ତାଙ୍କ କମିଶନରେଟ୍ ପୋଲିସରେ ନିଯୁକ୍ତି ଦେଇଥିଲେ । ସେ ୧ ଅକ୍ଟୋବର, ୨୦୨୪ରେ କଟକ ଡିସିପି ଭାବେ ଯୋଗ ଦେଇଥିଲେ । ଏହାପରେ ୨୦୨୫, ଫେବ୍ରୁଆରୀରେ ମୀନାଙ୍କୁ ଭୁବନେଶ୍ୱର ଡିସିପି ଭାବେ ନୂତନ ନିଯୁକ୍ତି ଦିଆଯାଇଥିଲା । ସେ ପିନାକ ମିଶ୍ରଙ୍କଠାରୁ ମାର୍ଚ୍ଚ ୫, ୨୦୨୫ ରେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଜଗମୋହନ ମୀନା ରାଜସ୍ଥାନର ମୂଳବାସିନ୍ଦା ଅଟନ୍ତି । ସେ ଜଣେ ଆଇଆଇଟି ଛାତ୍ର । ୨୩ ଡିସେମ୍ବର ୨୦୧୩ରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଓଡ଼ିଶାରେ ନିଯୁକ୍ତି ପାଇଥିଲେ । ମାତ୍ର ୧୩ ବର୍ଷର ଚାକିରୀକାଳ ମଧ୍ୟରେ ଦୁଇ ଥର ପଦୋନ୍ନତି ପାଇବା ସହିତ ଅନେକ ସମ୍ନାନରେ ସମ୍ମାନୀତ ହୋଇଛନ୍ତି । ପୋଲିସ ସାହସିକତା ପଦକ (୨୦୧୯), ପୋଲିସ ଆନ୍ତରିକ ସୁରକ୍ଷା ସେବା ପଦକ (୨୦୨୧) ଓ ରାଜ୍ୟପାଳ ପଦକ (୨୦୨୩) ଭଳି ବଡ଼ ବଡ଼ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ସେ ଏକ ଘରୋଇ ସଂସ୍ଥାରେ କାମ କରିବେ କରିବେ ବୋଲି ଚର୍ଚ୍ଚା ହେଉଛି । ରାଜସ୍ଥାନରେ ତାଙ୍କ ସାଙ୍ଗର ଏକ କମ୍ପାନୀରେ ତାଙ୍କ ମିଶି କାମ କରିବେ ବୋଲି ଆଲୋଚନା ହେଉଛି ।