ଦିଲ୍ଲୀ,୨୭/୩: ଫ୍ୟାନମାନଙ୍କ ତାଲିକା ଦେଖିଲେ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ସବୁଠାରୁ ଆଗରେ ରହିବ । ଅନେକ ସମୟରେ ପଡିଆ ମଧ୍ୟରେ ଧୋନିଙ୍କ ଫ୍ୟାନ ପ୍ରବେଶ କରିଥିବା ବେଳେ ଧୋନି ମଧ୍ୟ କେବେକେବେ ଫ୍ୟାନମାନଙ୍କ ସହ ନଜର ଆସିଛନ୍ତି । ଚଳିତ ବର୍ଷ ଆଇପିଏଲ୍ ସିଜିନ ୧୨ର ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚାଲିଥିବା ମୁକାବିଲାରେ ମଧ୍ୟ ଧୋନିଙ୍କ ପ୍ରତି ତାଙ୍କ ଫ୍ୟାନଙ୍କ ଥିବା ଭଲପାଇବା ପୁଣି ପଡିଆ ମଧ୍ୟରେ ଦେଖିବାକୁ ମିଳିଥିଲା ।
ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦିଲ୍ଲୀର ଫିରୋଜଶାହା କୋଟଲା ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲା ଦୋନିଙ୍କ ଫ୍ୟାନ ଦୁଇଥର ପଡିଆ ଭିତରେ ପ୍ରବେଶ କରିବା ସହିତ ଧୋନିଙ୍କ ଗୋଡ ଛୁଇଁବା ଦେଖିବାକୁ ମିଳିଥିଲା । ଧୋନି ବ୍ୟାଟିଂ କରୁଥିବା ବେଳେ ଜଣେ ଫ୍ୟାନ ପଡିଆ ଭିତରକୁ ଆସି ଧୋନିଙ୍କ ଗୋଡତଳେ ପଡିଯାଇଥିଲେ । କୌଣସି ଭାବେ ତାଙ୍କୁ ସେଠାରୁ ଦୂରେଇ ଦିଆଯାଇଥିଲା ।
ଶେଷ ଓଭରରେ ବ୍ରଭୋ ବିଜୟ ସୂଚକ ସଟ୍ ଖେଳିବା ପରେ ଧଲା ପୋଷାକ ପିନ୍ଧି ଜଣେ ଫ୍ୟାନ ଧୋନିଙ୍କୁ ଭୋଟିବା ପାଇଁ ପଡିଆରେ ପହଞ୍ଚିଯାଇଥିଲେ । ଏହା ପ୍ରଥମଥର ପାଇଁ ନୁହେଁ, ଏହା ପୂର୍ବରୁ ଅନେକଥର ପଡିଆ ମଧ୍ୟରେ ଧୋନିଙ୍କ ଫ୍ୟାନମାନଙ୍କୁ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଚଳିତ ବର୍ଷରେ ହିଁ ୫ ଥର ଧୋନିଙ୍କ ପାଇଁ ପଡିଆ ମଧ୍ୟରେ ଫ୍ୟାନମାନଙ୍କ ଭଲପାଇବା ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ଖେଳାଯାଇଥିବା ମୁକାବିଲାରେ ଧୋନି ୩୨ ରନର ଇନିଂସ ଖେଳି ଲିଗ୍ ପର୍ୟ୍ୟାୟରେ ଦ୍ୱିତୀୟ ବିଜୟ ଦେଇଥିଲେ ।