ସ୍ୱାୟତ୍ତ ଶାସନ ଦିବସରେ ଆରମ୍ଭ ହେଲା ଅନ୍‌ଲାଇନ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ଓ ବିବାହ ପ୍ରମାଣପତ୍ର ବ୍ୟବସ୍ଥା

ଭୁବନେଶ୍ବର,୩୧/୮: ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆଜି ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ସମସ୍ତ ଓ୍ଵାର୍ଡରେ ଓ୍ଵାର୍ଡ ଅଫିସ ଖୋଲିବା ସହିତ ରାଜ୍ୟର ସହରାଞ୍ଚଳର ସମସ୍ତ ୨୦୩୫ ଓ୍ଵାର୍ଡରେ ଓ୍ଵାର୍ଡ ଅଫିସ ଖୋଲିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହିତ କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର, ବିଡିଏରେ ଅନ୍‌ ଲାଇନ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥା, ଅନ୍‌ଲାଇନ୍‌ ବିବାହ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ଆଦି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପୁରୀର ଫନି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ମଧ୍ୟ ଅନ୍‌ ଲାଇନ୍‌ ଜରିଆରେ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି ଅବସରରେ ବିଭାଗୀୟ ଅଧିକାରୀ ଓ ଭିଡିଓ କନ୍‌ଫରେନ୍‌ସିଂରେ ପୁରୀ, ବ୍ରହ୍ମପୁର ଓ ଭୁବନେଶ୍ୱରରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ‘ସହରାଞ୍ଚଳ ସେବା ପ୍ରଦାନ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ। ଆଜି ସାରା ରାଜ୍ୟର ବିଭିନ୍ନ ପୌର ସଂସ୍ଥା ପାଇଁ ଅନେକ ଲୋକକୈନ୍ଦ୍ରିକ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ଆଜି ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ସବୁ ଓ୍ଵାର୍ଡରେ ଓ୍ଵାର୍ଡ ଅଫିସ ଖୋଲାଗଲା। ତା’ସହିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ପାଇଁ କାମ ଆରମ୍ଭ କରାଗଲା। ସେହିପରି ଫନି ବାତ୍ୟାରେ କ୍ଷତିଗ୍ରସ୍ତ ପୁରୀର କ୍ଷୁଦ୍ର ବେପାରୀମାନଙ୍କୁ ୧୦ହଜାର ଟଙ୍କା ଅନ୍‌ଲାଇନ୍‌ ଜରିଆରେ ପ୍ରଦାନ କରାଗଲା। ଏଥିପାଇଁ ମୁଁ ବହୁତ ଖୁସି। ଆଜି ମଧ୍ୟ ଭୁବନେଶ୍ୱର ପାଇଁ ଫାଷ୍ଟ ଟ୍ରାକ୍‌ ବିଲଡିଙ୍ଗ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥା ଆରମ୍ଭ ହେଲା। ଏସବୁ କାମରେ ‘୫ଟି’ ମନ୍ତ୍ର ଉପଯୋଗ ଭଲ ଭାବରେ କରାଯାଇଛି। ନଗର ଉନ୍ନୟନ ବିଭାଗ ଏକ ମାସ ମଧ୍ୟରେ ଏଥିପାଇଁ ପଦକ୍ଷେପ ନେଇଥିବାରୁ ବହୁତ ଧନ୍ୟବାଦ।

ସୂଚନାଯୋଗ୍ୟ, ଯେ ରାଜ୍ୟର ୧୧୪ଟି ପୌରସଂସ୍ଥାରେ ୩୪୨ଟି ମାଇକ୍ରୋ କମ୍ପୋଷ୍ଟ ୟୁନିଟ କରାଯିବା ସହିତ ୨୬ଟି ପୌରସଂସ୍ଥାରେ ୭୦କୋଟି ଟଙ୍କା ବ୍ୟୟରେ ୪୦ଟି ମଳପଙ୍କ ବିଶୋଧନ ବ୍ୟବସ୍ଥା ପାଇଁ ଶିଳାନ୍ୟାସ କରାଯାଇଛି। ଏହାଦ୍ୱାରା ଦୈନିକ ୪ଲକ୍ଷ ଲିଟର ମଳପଙ୍କ ବିଶୋଧିତ ହୋଇପାରିବ ଏବଂ ୮ଲକ୍ଷ ଲୋକ ଉପକାର ପାଇପାରିବେ। ସେହିପରି ଫନି ବାତ୍ୟା ସମୟରେ ପୁରୀର ୪୧୦୩ ଜଣ ରାସ୍ତାକଡ଼ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ୧୩୬୯ଜଣଙ୍କୁ ୧୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

ଭୁବନେଶ୍ୱର ଛୋଟଛୋଟ ଘର ନିର୍ମାଣ କରିବାକୁ ଚାହୁଁଥିବା ନାଗରିକଙ୍କୁ ୪୮ଘଣ୍ଟାରେ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥାର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରି ଅଂଶୁମାନ ରଥଙ୍କୁ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ପତ୍ର ପ୍ରଦାନ କରିଥିଲେ। ଏହି ବ୍ୟବସ୍ଥା ଦ୍ୱାରା ଭୁବନେଶ୍ୱରର ନାଗରିକମାନେ ୧୦୦ଟି ପୂର୍ବ ଅନୁମୋଦିତ ନକ୍‌ସାକୁ ଭିତ୍ତିକରି ଆବେଦନ କରି ପାରିବେ। ଏହି ବ୍ୟବସ୍ଥା ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସବୁ ସହରରେ କାର୍ଯ୍ୟକାରୀ କରାଯିବ। ସେହିପରି ସହିଦନଗର ଓ୍ଵାର୍ଡ ଅଫିସ୍‌ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଜଣେ ହିତାଧିକାରୀଙ୍କୁ ଅନ୍‌ ଲାଇନ୍‌ ବିବାହ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, କୃଷି ଉତ୍ପାଦନ କମିସନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିବାବେଳେ ଭୁବନେଶ୍ୱରର ସହିଦ ନଗରର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ଓ ମଧ୍ୟ ବିଧାୟକ ଦ୍ୱୟ, ବ୍ରହ୍ମପୁରରେ ସାଂସଦ, ପୁରୀରେ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ।