ଭୁବନେଶ୍ୱର,୬/୧୨: ଗତକାଲି ହାଇକୋର୍ଟ ଓ ଆଜି ଦୁଇ ନିମ୍ନ କୋର୍ଟରୁ ଜାମିନ ମିଳିବା ପରେ ଦୀର୍ଘ ୪୪ ଦିନ ପରେ ଜେଲ ଦଣ୍ଡାଦେଶରୁ ମୁକ୍ତ ହୋଇଛନ୍ତି ଅଣ ଓଡ଼ିଆ ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ର। କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆୟର ଭୁବନେଶ୍ୱରରୁ ସିଧା ଚିନ୍ନାଇ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଚେନ୍ନାଇରେ ରହୁଥିବା ନିଜ ମା’ଙ୍କ ପାଖକୁ ଅଭିଜିତ୍ ଯିବେ ବୋଲି ଆୟରଙ୍କ ଓକିଲ ସୂଚନା ଦେଇଛନ୍ତି।
ଓଡିଶାର ସଂସ୍କୃତି, ପରମ୍ପରା ଓ ଓଡିଆଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଜେଲ ଯାଇଥିବା ଅଣ ଓଡ଼ିଆ ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ରଙ୍କୁ ଗତକାଲି ହାଇକୋର୍ଟରୁ ଜାମିନ୍ ମିଳିବା ପରେ ଆଜି କୋଣାର୍କ ଓ ଭୁବନେଶ୍ୱର ଜେଏମଏଫସି କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ। ଭବିଷ୍ୟତରେ ଓଡ଼ିଶା ପ୍ରତି ଆଉ ଅରୁଚିକର ମନ୍ତବ୍ୟ ନଦେବା ଓ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ମିଳିଥିଲା। ଦୁଇଟି ତଳ କୋର୍ଟରୁ ତାଙ୍କୁ ଜାମିନ ମିଳିବା ପରେ ଜେଲ୍ କର୍ତ୍ତୃପକ୍ଷ ଆଜି (ଗୁରୁବାର) ସଂଧ୍ୟାରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି କଡ଼ା ସୁରକ୍ଷା ମଧ୍ୟରେ ଅଭିଜିତଙ୍କ ମୁକୁଳିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।