ମଧ୍ୟାହ୍ନ ଭୋଜନରେ ମଲା ଝିଟିପିଟି; ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର, ୨୮/୦୭ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ଏକ ମଲା ଝିଟିପିଟି ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଖାଦ୍ୟ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ବେଳେ ୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପୁରୀ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଉଥିବା ବେଳେ ସେଥିରେ ଏକ ମଲା ଝିଟିପିଟି ପଡ଼ିଥିବା ଦେଖିଥିଲେ। ଏହାପୂର୍ବରୁ କିଛି ଛାତ୍ରଛାତ୍ରୀ ବାନ୍ତି କରିବା ସହ ଅସୁସ୍ଥ ଅନୁଭବ କରିଥିଲେ। ଘଟଣା ଜଣାପଡ଼ିବା ମାତ୍ରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଡାକି ତୁରନ୍ତ ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।

ଡେଲାଙ୍ଗ ହସ୍ପିଟାଲରେ ଅଭିଭାବକମାନଙ୍କ ଭିଡ଼ ଜମିଥିବା ବେଳେ ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟରେ ଖାଦ୍ୟ ପ୍ରସ୍ତୁତିରେ ଅବହେଳା ଓ ଅସାବଧାନତା ହୋଇଥିବା ଅଭିଯୋଗ କରି ଶିକ୍ଷକ ଏବଂ ପାଚିକାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀ। ଏପଟେ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖାଯାଇଛି। ଏହି ଘଟଣା ପୁଣି ଥରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନର ଗୁଣବତ୍ତା, ପରିମଳ ବ୍ୟବସ୍ଥା ଓ ଖାଦ୍ୟ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।

SBI AD