ଭୁବନେଶ୍ୱର, ୧୭/୧୦ : ଆସନ୍ତାକାଲି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ । ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୭ ତାରିଖ ଶନିବାର ଭୁବନେଶ୍ୱରରେ ପହଞ୍ଚିବେ। ଅକ୍ଟୋବର ୧୮ ତାରିଖ ରବିବାର ସେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ବ୍ରଜମୋହନ ରାମ ଶନିବାର ପୂର୍ବାହ୍ନ ୧୧ଟା ୩୦ରେ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନରେ ବାହାରି ଅପରାହ୍ନ ୧୨ଟା ୩୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ପୋଲିସ ଡିଜି ବିନୟତୋଷ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିବେ। ଏହାପରେ ନବନିଯୁକ୍ତ ରାଜ୍ୟପାଳ ସଡ଼କ ପଥରେ ପୁରୀ ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ ୨ଟା ୪୦ରେ ପୁରୀ ଲୋକଭବନରେ ପହଞ୍ଚିବା ପରେ ସନ୍ଧ୍ୟା ୫ଟା ୩୦ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ସନ୍ଧ୍ୟା ୬ଟା ୧୫ରେ ପୁରୀରୁ ବାହାରି ରାତି ୭ଟା ୨୫ରେ ଭୁବନେଶ୍ୱର ଲୋକଭବନରେ ପହଞ୍ଚିବେ। ତାଙ୍କ ଗସ୍ତ ଓ ସ୍ୱାଗତ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଅକ୍ଟୋବର ୧୮ରେ ବ୍ରଜମୋହନ ରାମ ନୂଆ ରାଜ୍ୟପାଳ ଭାବେ ଶପଥ ନେବାକୁ ଥିବାବେଳେ ତାଙ୍କ ଆଗମନ ପାଇଁ ପ୍ରସ୍ତୁତି ଚାଲିଛି।.