ଭୁବନେଶ୍ୱର, ୧୭/୧୦ : କିଟ୍ କିସ୍ ହକି ଗ୍ରାଉଣ୍ଡ ପରିଦର୍ଶନ କଲେ ଅମିତ ରୋହିଦାସ । ହକି ଗ୍ରାଉଣ୍ଡ ପରିଦର୍ଶନ କରିବା ସହ କିଟ୍-କିସ୍ ହକି ଖେଳାଳିଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ। ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସହ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଥିବା ଭାରତୀୟ ପୁରୁଷ ହକି ଦଳର ପ୍ରମୁଖ ଓଡ଼ିଆ ଡିଫେଣ୍ଡର ଅମିତ ରୋହିଦାସ। କିଟ୍-କିସ୍ ଖେଳାଳିଙ୍କ ସହ ସମୟ ଅତିବାହିତ କରିବା ସହ ଯେଉଁ ଖେଳାଳିମାନେ ନିକଟରେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିଲେ ସେମାନଙ୍କୁ ଗୋଟିଏ ଲେଖାଏଁ ହକି ଷ୍ଟିକ୍ ପ୍ରଦାନ କରିଥିଲେ। ଏହି ଅବସରରେ ସେ ଖେଳାଳିଙ୍କୁ ହକି ଖେଳର କୌଶଳ ପ୍ରଦର୍ଶନ କରିଥିଲେ।
କିଟ୍ ଓ କିସରେ ଏକ ସ୍ୱତନ୍ତ୍ର ହକି ଏକାଡେମୀ ପ୍ରତିଷ୍ଠା ନେଇ ସେ ଆଲୋଚନା କରିଥିଲେ। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ହକି ଆକାଡେମୀ ପ୍ରସ୍ତାବକୁ ଅମିତ ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି । ଅବସରପ୍ରାପ୍ତ ଅଲିମ୍ପିଆନ୍ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳିମାନେ ଏହି ଏକାଡେମୀରେ ଯୁବ ଖେଳାଳିଙ୍କୁ ଉଚ୍ଚମାନର ତାଲିମ ପ୍ରଦାନ କରିବେ। ବିଶେଷକରି କିସରେ ପଢ଼ୁଥିବା ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ, ଅନ୍ତର୍ଜାତୀୟ ଓ ଅଲିମ୍ପିକ୍ସ ସ୍ତରର ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯିବ।