କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

କଟକ,୯/୩: ମାଲଗୋଦାମ ପୋଲିସ ସୋମବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ବାଇଁ ଓରଫ ମନୁଆଙ୍କୁ ଏନ୍‌କାଉଣ୍ଟର କରିଛି। ଏଥିରେ ମନୋଜଙ୍କ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ଏସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନିକଟରୁ ୪ ବୋମା ଜବତ କରାଯାଇଛି। ଏ ନେଇ ପୋଲିସ କେସ୍‌ ନଂ. ୬୨/୧୯ରେ ଏକ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୧ଟାରେ ମନୁଆ ଏକ ବ୍ୟାଗରେ ୪ ବୋମା ଧରି ମାଲଗୋଦାମ ଅଞ୍ଚଳରେ ବୁଲୁଥିବା କୌଣସି ସୂତ୍ରରୁ ପୋଲିସକୁ ଖବର ମିଳିଥିଲା। ଥାନା ଅଧିକାରୀ ରବି ନାରାୟଣ ଭଞ୍ଜଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସକୁ ଦେଖି ମନୁଆ ପଳାଇବାକୁ ଚେଷ୍ଟା କରିଥିଲେ। ଫଳରେ ପୋଲିସ ଗୁଳି ଚାଳନା କରିଥିଲା।