ନୂଆଦିଲ୍ଲୀ, ୧୯/୦୬ : ଛତିଶଗଡ଼ର କୋରିଆ ଜିଲାରେ ବାଲି ଖନନ ଓ ବ୍ୟାବସାୟିକ ଶତ୍ରୁତାକୁ କେନ୍ଦ୍ରକରି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡରେ ଜଣେ ବିଜେପି ନେତାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି।କୋରିଆ ଜିଲାର ସୋନହଟ୍ ଥାନା ଅନ୍ତର୍ଗତ କଟକୋଡି ଗ୍ରାମ ନିକଟରେ ଏହି ବର୍ବର କାଣ୍ଡ ଘଟିଛି। ମୃତକମାନେ ହେଲେ ବିଜେପି ନେତା ଭରତ ସିଂହ ଗେହରୱାର ଓରଫ୍ ଲାଲ୍ଲା ସିଂହ, ତାଙ୍କ ସମ୍ପର୍କୀୟ ଭାଇ ନାଗେନ୍ଦ୍ର ସିଂହ ଓ ବୀରେନ୍ଦ୍ର ପ୍ରତାପ ସିଂହ। ଭରତ ସିଂହଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଭରତ ସିଂହ ନିଜ ଫର୍ଚ୍ୟୁନର ଗାଡ଼ିରେ ଯାଉଥିବା ସମୟରେ ବିରୋଧୀ ଗୋଷ୍ଠୀ ତାଙ୍କୁ ଘେରି ଯାଇଥିଲେ। ଆକ୍ରମଣକାରୀମାନେ ପୂର୍ବ ଯୋଜନା ମୁତାବକ ଫର୍ଚ୍ୟୁନର ଗାଡ଼ିର ଆଗ ଓ ପଛରେ ଟିପର ଟ୍ରକ ରଖି ରାସ୍ତା ବନ୍ଦ କରିଦେଇଥିଲେ ଏବଂ ଗାଡ଼ିକୁ ବାରମ୍ବାର ଧକ୍କା ଦେଇଥିଲେ। ଫଳରେ କାର୍ର ଡୋର ଲକ୍ ହୋଇଯାଇଥିଲା ଏବଂ ଭିତରେ ଥିବା ଲୋକେ ବାହାରକୁ ବାହାରି ପାରିନଥିଲେ। ପରେ ଆକ୍ରମଣକାରୀମାନେ କାର୍ରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ଫଳରେ ଭରତ ସିଂହଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ନଗେନ୍ଦ୍ର ସିଂହ ଓ ବୀରେନ୍ଦ୍ର ପୋଡିଯାଇ ଗୁରୁତର ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଭରତ ସିଂହ (ଠାକୁର ଗୋଷ୍ଠୀ) ଏବଂ ସ୍ଥାନୀୟ ତ୍ରିପାଠୀ ଗୋଷ୍ଠୀ ମଧ୍ୟରେ ବାଲି ଖାଦାନର ମାଲିକାନା, ପରିବହନ ଓ ଟଙ୍କା କାରବାରକୁ ନେଇ ଦୀର୍ଘ ଦିନରୁ ଶତ୍ରୁତା ଚାଲିଥିଲା। ଘଟଣା ଦିନ ମଧ୍ୟ ଦୁଇ ପକ୍ଷ ମଧ୍ୟରେ ବଚସା ହୋଇଥିଲା ଏବଂ ଆପୋସ ସମାଧାନ ବାହାନାରେ ଡାକି ଏହି ଆକ୍ରମଣ କରାଯାଇଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି। ପୁଲିସ ଏହି ମାମଲାରେ ୯ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ଏବଂ ମୁଖ୍ୟ ଅଭିଯୁକ୍ତ ଅକ୍ଷତ ତ୍ରିପାଠୀ, ବିଶାଳ ତ୍ରିପାଠୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଉଦ୍ୟମ ଚାଲିଛି।