କର୍ଣ୍ଣାଟକ,୨୧/୧: କର୍ଣ୍ଣାଟକର କରଓ୍ଵାରରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ନଦୀରେ ନୌକା ଓଲଟିବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ଡଙ୍ଗାରେ ୨୪ ଜଣ ଯାତ୍ରୀ ଥିଲେ। ମତ୍ସ୍ୟଜୀବୀ ଓ ତଟରକ୍ଷକ ୧୬ ଜଣଙ୍କ ଶବ ଉଦ୍ଧାର କରିଥିବା ବେଳେ ବାକି ଲୋକ ନିଖୋଜ ଅଛନ୍ତି। ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି।
ଏହି ଘଟଣାରେ ପ୍ରଥମେ ମତ୍ସ୍ୟଜୀବୀ ଓ ଭାରତୀୟ ନୌସେନା ଛଅ ଜଣଙ୍କ ଶବ ଉଦ୍ଧାର କରିଥିଲେ। ନୌକା ଓଲଟିବାର କାରଣ ଜଣା ପଡ଼ିନାହିଁ। କରଓ୍ଵାର ଜିଲ୍ଲାର କୁରୁମଗଡ ଦ୍ଵୀପ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ ଦ୍ଵୀପ ସ୍ଥିତ ଏକ ମନ୍ଦିରରୁ ଦର୍ଶନ କରି ଫେରିବା ସମୟରେ ଏହି ନୌକା ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା। ଏହାର ଏକ ମାସ ପୂର୍ବରୁ କର୍ଣ୍ଣାଟକ ସମୁଦ୍ରରେ ଏକ ଡଙ୍ଗା ନିଖୋଜ ହୋଇଥିଲା, ଏ ପର୍ଯ୍ୟନ୍ତ ଏହାର ସନ୍ଧାନ ମଧ୍ୟ ଜଣା ପଡ଼ିନାହିଁ।