ଆଜିକାଲି ପ୍ରାୟ ପ୍ରତ୍ୟେକ ଘରେ ଗ୍ୟାଷ୍ଟ୍ରିକ୍ ଏବଂ ପେଟରେ ଗ୍ୟାସ୍ ସମସ୍ୟା ଏକ ସାଧାରଣ ଘଟଣା ପାଲଟିଛି । ଛୋଟରୁ ବଡ଼, ଅନେକ ଲୋକ ଏହି ସମସ୍ୟାରେ ହନ୍ତସନ୍ତ ହେଉଛନ୍ତି । ଅନିୟମିତ ଖାଦ୍ୟପେୟ, ଦୀର୍ଘ ସମୟ ଧରି ବସି ରହିବା ଏବଂ ଖାଦ୍ୟ ଠିକ୍ ଭାବରେ ହଜମ ନହେବା ଯୋଗୁଁ ପେଟରେ ଗ୍ୟାସ୍ ଜମା ହୋଇଥାଏ । ଏହାଦ୍ୱାରା ପେଟ ଫୁଲିବା, ଯନ୍ତ୍ରଣା ଏବଂ ଅସ୍ୱସ୍ତି ଭଳି ସମସ୍ୟା ଦେଖାଦିଏ । ଏହି ସମସ୍ୟା ପାଇଁ ଅନେକ ଲୋକ ଔଷଧ ଉପରେ ନିର୍ଭର କରନ୍ତି । କିନ୍ତୁ ଦୈନନ୍ଦିନ ଜୀବନରେ କିଛି ଭଲ ଅଭ୍ୟାସ ଆପଣାଇଲେ ଗ୍ୟାସ୍ ସମସ୍ୟାକୁ ଅନେକାଂଶରେ କମାଇ ହେବ। ତେବେ ଆସନ୍ତୁ ଜାଣିବା, ପେଟରେ ଗ୍ୟାସ୍ ସମସ୍ୟାରୁ ଦୂରେଇ ରହିବା ପାଇଁ ପ୍ରତିଦିନ କେଉଁ ୬ଟି କାମ କରିବା ଆବଶ୍ୟକ।
ନିୟମିତ ବ୍ୟାୟାମ କରନ୍ତୁ: ପେଟକୁ ସୁସ୍ଥ ରଖିବା ପାଇଁ ନିୟମିତ ବ୍ୟାୟାମ କରିବା ଜରୁରୀ। ପ୍ରତିଦିନ କିଛି ସମୟ ଚାଲିବା କିମ୍ବା ହାଲୁକା ବ୍ୟାୟାମ କରିବା ଦ୍ୱାରା ପାଚନ କ୍ରିୟା ସକ୍ରିୟ ରହିଥାଏ। ଏହା ପେଟ ଫୁଲିବା ଏବଂ ଗ୍ୟାସ୍ ସମସ୍ୟା କମାଇବାରେ ସାହାଯ୍ୟ କରେ।
ପର୍ଯ୍ୟାପ୍ତ ପାଣି ପିଅନ୍ତୁ: ଶରୀରକୁ ସୁସ୍ଥ ରଖିବା ସହ ପାଚନ କ୍ରିୟା ଠିକ୍ ରଖିବା ପାଇଁ ପାଣି ନିହାତି ଆବଶ୍ୟକ। ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା କମିଥାଏ। ତେଣୁ ଦିନସାରା ଆବଶ୍ୟକ ଅନୁସାରେ ପାଣି ପିଇବା ଅଭ୍ୟାସ କରନ୍ତୁ।
ଖାଦ୍ୟରେ ଫଳ ଓ ପନିପରିବା ସାମିଲ କରନ୍ତୁ: ଫଳ ଏବଂ ପନିପରିବାରେ ଥିବା ଫାଇବର୍ ପାଚନ କ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହା କୋଷ୍ଠକାଠିନ୍ୟ ଦୂର କରିବା ସହ ଅନ୍ତନଳୀର ସ୍ୱାସ୍ଥ୍ୟ ଭଲ ରଖେ। ତେଣୁ ପ୍ରତିଦିନର ଖାଦ୍ୟରେ ତାଜା ଫଳ ଓ ପନିପରିବା ନିଶ୍ଚୟ ସାମିଲ କରନ୍ତୁ ।
ଧୀରେ ଧୀରେ ଖାଦ୍ୟକୁ ଚୋବାଇ ଖାଆନ୍ତୁ: ଖାଦ୍ୟ ଖାଇବା ସମୟରେ ତରବର ହୁଅନ୍ତୁ ନାହିଁ । ଧୀରେ ଧୀରେ ଏବଂ ଭଲ ଭାବରେ ଚୋବାଇ ଖାଆନ୍ତୁ । ଏହାଦ୍ୱାରା ଖାଦ୍ୟ ସହ ଅଧିକ ବାୟୁ ପେଟ ଭିତରକୁ ଯିବା କମିଥାଏ ଏବଂ ଖାଦ୍ୟ ହଜମ ହେବାରେ ସହାୟତା ମିଳେ ।
ଚାପମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ: ଅତ୍ୟଧିକ ମାନସିକ ଚାପ ପାଚନ କ୍ରିୟା ଉପରେ ପ୍ରଭାବ ପକାଇପାରେ । ଏହାଦ୍ୱାରା ପେଟ ଫୁଲିବା ଏବଂ ଏସିଡିଟି ଭଳି ସମସ୍ୟା ବଢ଼ିପାରେ। ତେଣୁ ନିୟମିତ ଯୋଗ, ଧ୍ୟାନ ଏବଂ ଶ୍ୱାସକ୍ରିୟା ଅଭ୍ୟାସ କରି ମାନସିକ ଚାପ କମାଇବାକୁ ଚେଷ୍ଟା କରନ୍ତୁ ।
ଦହି ଖାଇବା ଅଭ୍ୟାସ କରନ୍ତୁ: ଦହିରେ ଥିବା ପ୍ରୋବାୟୋଟିକ୍ସ ଅନ୍ତନଳୀରେ ଉପକାରୀ ବ୍ୟାକ୍ଟେରିଆର ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ । ଏହା ପାଚନ କ୍ରିୟା ପାଇଁ ଲାଭଦାୟକ ହୋଇପାରେ। ତେଣୁ ନିଜ ଶରୀରକୁ ସୁହାଉଥିଲେ ଖାଦ୍ୟରେ ଦହି ସାମିଲ କରନ୍ତୁ ।
ତେଣୁ ଗ୍ୟାସ୍ ସମସ୍ୟାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇ ପାଚନ କ୍ରିୟାକୁ ଭଲ ରଖିପାରିବେ। ତେବେ ଗ୍ୟାସ୍ ସମସ୍ୟା ବାରମ୍ବାର ହେଉଥିଲେ କିମ୍ବା ତୀବ୍ର ପେଟ ଯନ୍ତ୍ରଣା, ବାନ୍ତି ବା ଓଜନ ହ୍ରାସ ଭଳି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।