ବେଙ୍ଗାଲୁରୁ,୧୨/୭ : କର୍ଣ୍ଣାଟକ ବିଧାନସଭାରୁ କ୍ଷମତାସୀନ କଂଗ୍ରେସ ଓ ଜେଡିଏସ ବିଧାୟକମାନେ ଇସ୍ତଫା ଦେବା ପରେ ରାଜ୍ୟ ସରକାରଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି । ସରକାର ଏବେ ସଂକଟ ପରିସ୍ଥିତି ଦେଇ ପରିଚାଳିତ ହେଉଛି । ବିଗତ କିଛି ଦିନ ପୂର୍ବରୁ କଂଗ୍ରେସର ୧୩ ଓ ଜେଡିଏସର ୩ ଜଣ ବିଧାୟକ ବିଧାନସଭା ଅଧ୍ୟକ୍ଷଭ୍କୁ ନିଜର ଇସ୍ତଫା ପତ୍ର ଦେଇଥିଲେ । ଏହା ପରେ ମେଣ୍ଟ ସରକାର ଅଡୁଆରେ ପଡ଼ିଯାଇଛି । ରାଜ୍ୟ ବିଧାନସଭାର ଶୁକ୍ରବାର ଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କହିଛନ୍ତି, ତାଙ୍କର ସରକାର ମଜବୁତ ଅଛି କିନ୍ତୁ ଅସ୍ଥିର କରାଯିବାକୁ କିଛି ନେତା ଉଦ୍ୟମ କରୁଛନ୍ତି । କୁମାରସ୍ୱାମୀ କହିଛନ୍ତି, ଆମେ ବିଧାନସଭା ଅଧିବେଶନ ନିର୍ବାଧ ଭାବେ ପରିଚାଳନା ପାଇଁ ପ୍ରସ୍ତୁତ ହୋଇଛୁ ।
ଏହା ପୂର୍ବରୁ କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେଆର ରମେଶ କୁମାର ଗୁରୁବାର କହିଥଲେ ଯେ, ତାଙ୍କୁ କ୍ଷମତାସୀନ କଂଗ୍ରେସ ଓ ଜେଡିଏସର ୧୩ ଜଣ ବିଧାୟକଙ୍କର ଇସ୍ତଫା ଭଲ ଫର୍ମାଟରେ ମିଳିଥିଲା । କୁମାର ଏଠାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ, ବିଧାୟକମାନଙ୍କ ନିୟତ ଫର୍ମାଟ ମୋ ପାଖକୁ ଆସିବା ପରେ ବ୍ୟକ୍ତିଗତ ଭାବେ ଶୁଣିବା ପରେ ଶେଷ ନିଷ୍ପତ୍ତି ନେବି । ସେ କହିଥିଲେ, ମୁଁ ଶୁକ୍ରବାର ସୁପ୍ରିମକୋର୍ଟକୁ ସୂଚିତ କରିବି ଯେ, ମୁଁ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଆଇନ ଏବଂ ଅଦେଶ ଅନୁସାରେ କରିଛି ।
ଯଦି ବାଚସ୍ପତି ୧୬ ବିଧାୟକଙ୍କ ଇସ୍ତଫା ସ୍ୱୀକାର କରନ୍ତି, ତା’ହେଲେ ବିଧାନସଭାରେ ୨୦୯ ଜଣ ବିଧାୟକ ରହିବେ । ବହୁମତ ପାଇଁ ୧୦୫ ଜଣ ବିଧାୟକ ଦରକାର । ମାତ୍ର ମେଣ୍ଟ ସରକାର ପାଖରେ ୧୦୦ ଜଣ ବିଧାୟକ ରହିବେ ।
