ସୃଷ୍ଟି ହେଲା ଗଭୀର ଅବପାତ, ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ‘ଅକ୍ବନ୍’

ଭୁବନେଶ୍ୱର, ୧୬/୧୧ : ସମୁଦ୍ରରୁ ବଳ ଗୋଟାଇ ଶକ୍ତିଶାଳୀ ହେଉଛି ସମ୍ଭାବ୍ୟ ବାତ୍ୟା ‘ଅକ୍ବନ୍’। ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ। ୮କିମି ବେଗରେ ଆଗକୁ ବଢୁଛି ଗଭୀର ଅବପାତ। ବିଶାଖାପାଟନମ ଠାରୁ ୮୨୦କିମି ଓ ଗୋପାଳପୁର ଠାରୁ ୯୪୦କିମି ଦୂରରେ କେନ୍ଦ୍ରୀଭୂତ । ଅତି ଭୀଷଣ ବାତ୍ୟା ଭାବେ ୧୯ତାରିଖ ରାତି ସୁଦ୍ଧା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ରଉପକୂଳ ନିକଟତର ହେବା ସମ୍ଭାବନା। ଆସନ୍ତା ୧୮ ତାରିଖରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ । ରାଜ୍ୟର ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାପରେ ୧୯, ୨୦ ଓ ୨୧ ତାରିଖ ଲଗାତାର ୩ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନର ସମ୍ଭାବନା ରହିଛି। ୧୯ ତାରିଖରେ ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୦ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଏବଂ ୨୧ ତାରିଖରେ ପଶ୍ଚିମ ଓଡ଼ିଶାର ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ବାତ୍ୟାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ ପ୍ରଭାବ ଉପରେ ତୀକ୍ଷ୍ମ ନଜର ରଖିଛି ପାଣିପାଗ ବିଭାଗ ।