ଭୁବନେଶ୍ୱର, ୧୬/୧୧ : ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ବିଧାନସଭାର ବିଧାୟକମାନଙ୍କ ପାଇଁ ଆୟୋଜିତ ଓରିଏଣ୍ଟେସନ୍ ବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେବେନାହିଁ । ବିଧାନସଭାର କାର୍ଯ୍ୟପ୍ରଣାଳୀ, ସଂସଦୀୟ ପରମ୍ପରା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଜନପ୍ରତିନିଧିଙ୍କ ଦାୟିତ୍ୱ ଭଳି ବିଷୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରମୁଖ ଆଲୋଚ୍ୟ ପ୍ରସଙ୍ଗ ହୋଇପାରେ । ଉପରାଷ୍ଟ୍ରପତିଙ୍କ ଉଦବୋଧନରେ ବିଧାୟକଙ୍କ ଭୂମିକା, ବିଧାନସଭାର ଗରିମା ଏବଂ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ଉପରେ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି । ଭୁବନେଶ୍ୱରର କାର୍ଯ୍ୟକ୍ରମ ପରେ ଉପରାଷ୍ଟ୍ରପତି କଟକ ଗସ୍ତ କରିବେ। ସେଠାରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ନବନିର୍ମିତ ଆଇକନିକ୍ ଟାୱାର ବା ଏକାଡେମିକ୍ ଭବନର ଉଦ୍ ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଅତିଥି ଉପସ୍ଥିତ ରହିବେ । ନୂତନ ଏକାଡେମିକ୍ ଭବନ ଶିକ୍ଷା ଓ ଗବେଷଣା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ବିମାନବନ୍ଦର, ବିଧାନସଭା ଅଞ୍ଚଳ, ପ୍ରମୁଖ ରାସ୍ତା ଏବଂ କଟକର କାର୍ଯ୍ୟକ୍ରମସ୍ଥଳରେ ପୋଲିସ ମୁତୟନ ଓ ନିରାପତ୍ତା ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଇଛି ।