ନୂଆଦିଲ୍ଲୀ,୧୩/୭: ଭାରତୀୟ ଜନତା ପାର୍ଟିର କର୍ଣ୍ଣାଟକ ଅଧ୍ୟକ୍ଷ ବିଏସ ୟେଦୁରପ୍ପା ଶନିବାର କହିଛନ୍ତି ଯେ, ବିରୋଧୀ ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରସ୍ତୁତ। ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ କହିଛନ୍ତି ଯେ, ଗୃହରେ ଅନାସ୍ଥା ପ୍ରସ୍ତାବ ପାଇଁ ତାଙ୍କ ପାଖରେ ଦମ ରହିଛି। ତେଣୁ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ସମୟ ସ୍ଥିର କରିବାକୁ ସେ ବାଚସ୍ପତି କେଆର ରମେଶ କୁମାରଙ୍କୁ ଅନୁରୋଧ କରିଛନ୍ତି।
କୁମାରସ୍ଵାମୀଙ୍କ ଏହି ଘୋଷଣା ବିରୋଧୀଙ୍କୁ ଚକିତ କରିବା ଭଳି ହୋଇଛି। ଗୃହର ପ୍ରଥମ ଦିନରେ ଏହି ଘୋଷଣା କରି କୁମାରସ୍ଵାମୀ ବିରୋଧୀଙ୍କଠୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ସମାଚାର ଏଜେନ୍ସି ଏଏନଆଇ ଅନୁସାରେ ବିଏସ ୟେଦୁରପ୍ପା କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ଉପରେ ଆମର କୌଣସି ଆପତ୍ତି ନାହିଁ। ଆମେ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବୁ ଏବଂ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ପ୍ରସ୍ତୁତ।
ଅନ୍ୟ ପଟେ ଶୁକ୍ରବାର ସୁପ୍ରିମକୋର୍ଟ କର୍ଣ୍ଣାଟକ ବିଧାନସଭାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଜୁଲାଇ ୧୬ରେ ଏହା ଉପରେ ନିଷ୍ପତ୍ତି ନେବେ। ଅନାସ୍ଥା ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀଙ୍କ ଘୋଷଣା ପରେ ବିଜେପି ଶିବିରରେ ହଇଚଇ ସୃଷ୍ଟି ହୋଇଛି। ନିଜ ଗୋଷ୍ଠୀରେ କୌଣସି ପ୍ରକାରର ଅପ୍ରୀତିକର ସ୍ଥିତିରୁ ବଞ୍ଚିବା ପାଇଁ ବିଜେପି ନିଜର ବିଧାୟକଙ୍କୁ ରିସର୍ଟ ପଠାଇ ଦେଇଛି।
ଅନ୍ୟ ପଟେ କଂଗ୍ରେସ ଓ ଜେଡିଏସର ରଣନୀତି ରହିଛି ଯେ, ସେ ପ୍ରସ୍ତାବ ପକ୍ଷରେ ଭୋଟ୍ ଦେବା ପାଇଁ ସମସ୍ତ ବିଧାୟକଙ୍କୁ ହ୍ଵିଟ୍ ଜାରି କରନ୍ତୁ। ଏହି ବିଧାୟକଙ୍କ ମଧ୍ୟରେ ସେହି ବିଧାୟକମାନେ ମଧ୍ୟ ସାମିଲ, ଯେଉଁମାନେ ଇସ୍ତଫା ଦେଇଥିଲେ ମଧ୍ୟ ସେମାନଙ୍କର ଇସ୍ତଫା ଗୃହୀତ ହୋଇ ନାହିଁ।
କର୍ଣ୍ଣାଟକ ବିଧାନସଭା ଅଧ୍ୟକ୍ଷ ରମେଶ କୁମାର ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଏ ପର୍ୟ୍ୟ ନ୍ତ ସ୍ଵୀକାର କରି ନାହାନ୍ତି। ଯଦି ସ୍ଵୀକାର କରାଯାଏ ତେବେ ମେଣ୍ଟର ୧୧୮ ସଦସ୍ୟଙ୍କ ସଂଖ୍ୟା ୧୦୦କୁ ଖସି ଆସିବ ଏବଂ ବହୁମତ ସଂଖ୍ୟା ୧୧୩ରୁ ହ୍ରାସ ପାଇ ୧୦୫ ହୋଇଯିବ। ବିଜେପି ପାଖରେ ଏବେ ୧୦୫ ବିଧାୟକ ଅଛନ୍ତି ଏବଂ ଦୁଇ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି, ଯେଉଁଥିରେ ସଂଖ୍ୟା ୧୦୭ ହୋଇଯିବ।