କାର୍ତ୍ତିକ ପରେ ଲଗାଯିବ ଅବଢ଼ାର ନିର୍ଦ୍ଧାରିତ ମୂଲ୍ୟ ତାଲିକା

ପୁରୀ, ୧୩/୧୧: ଦୀର୍ଘଦିନ ଧରି ଅବଢ଼ାର ମୂଲ୍ୟ ନିର୍ଦ୍ଧାରଣ ନେଇ ତର୍କବିତର୍କ ଲାଗିରହିଥିବା ବେଳେ ଆଜି ଏକ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁସାରେ କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଢ଼ା ଦର ର୍ନିଦ୍ଧାରଣ କରାଯାଇ ଦର ତାଲିକା ଜାରି କରାଯିବ ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କିଶୋର ମହାପାତ୍ର କହିଛନ୍ତି ସୂଚନା ଦେଇଛନ୍ତି । ମଙ୍ଗଳବାର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଶ୍ରୀ ମନ୍ଦିରରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ସଂସ୍କାର ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ନିଷ୍ପତ୍ତି ହୋଇଛି କି କାର୍ତ୍ତିକ ମାସ ପରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ ଲାଗି କତେ ଖର୍ଚ୍ଚ ହେଉଛି, ତାହା ତର୍ଜମା କରାଯିବ । ଏହାପରେ ଦର ନିର୍ଦ୍ଧାରଣ କରାଯାଇ ଆନନ୍ଦ ବଜାରରେ ରେଟଚାର୍ଜ ଲଗାଯିବ । ବୈଠକରେ ଶ୍ରୀ ମନ୍ଦିରର ପରିଚାଳନା ସମିତିର ସଦସ୍ୟ, ଜିଲ୍ଲା ପ୍ରଶାସନ ଓ ସେବାୟତମାନେ ଅଂଶଗ୍ରହଣ କରିଥିଲେ ।