ପୋଖରୀରେ ବୁଡ଼ି ୭ ବର୍ଷର ଶିଶୁ ମୃତ

ମହାକାଳପଡ଼ା: ୨୪/୦୮ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କରଞ୍ଜ ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ୭ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ଜୟନ୍ତ ଦାସଙ୍କ ପୁଅ ସୂର୍ଯ୍ୟକାନ୍ତ ଦାସ ।

ସୂଚନା ଅନୁଯାୟୀ, ସୋମବାର ଅପରାହ୍ନ ପ୍ରାୟ ୫ଟା ସମୟରେ ସୂର୍ଯ୍ୟକାନ୍ତ ପୋଖରୀ ନିକଟରେ ଖେଳୁଥିଲେ। ଏହି ସମୟରେ ଅସାବଧାନତାବଶତଃ ତାଙ୍କ ଗୋଡ଼ ଖସି ପୋଖରୀରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। କିଛି ସମୟ ପରେ ତାଙ୍କୁ ଖୋଜାଖୋଜି କରିବାବେଳେ ପୋଖରୀରେ ଚପଲ ଭାସୁଥିବା ଦେଖିବାକୁ ମିଳିଥିଲା। ଏହାପରେ ସେ ପୋଖରୀରେ ବୁଡ଼ିଯାଇଥିବା ସନ୍ଦେହ କରି ୧୧୨କୁ ଫୋନ୍‌ କରି ଜଣାଇଥିଲେ।

ଖବର ପାଇ ଓଡ଼ିଶା ଅଗ୍ନିଶମ ବାହିନୀର ମହାକାଳପଡ଼ା ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପୋଖରୀରେ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ସୂର୍ଯ୍ୟକାନ୍ତଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମେଡିକାଲକୁ ପଠାଇଥିଲେ। ତେବେ ସେଠାରେ ଡାକ୍ତର ସୂର୍ଯ୍ୟକାନ୍ତଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣାକୁ ନେଇ କରଞ୍ଜ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।