ନୂଆଦିଲ୍ଲୀ, ୧୫/୦୮ : ତାମିଲନାଡ଼ୁରେ ଟିଭିକେ ବିଜେପି ସରକାରକୁ ମାତ୍ ଦେଇ ନିଜ ପତିଆରା ଜମାଇବା ପରେ ଏବେ ସି. ଜୋସେଫ ବିଜୟ ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଉଛନ୍ତି । ନିଜ ଜନତାଙ୍କ ପାଇଁ ସେ ସବୁ ସୁବିଧା ଖଞ୍ଜି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସ୍ୱାଧୀନତା ଦିବସ ଅବସରରେ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ପତାକା ଉତ୍ତୋଳନ ପରେ ନିଜ ପ୍ରଥମ ଭାଷଣରେ ବିଜୟ କହିଛନ୍ତି ଯେ, ପ୍ରଶାସନିକ କାର୍ଯ୍ୟରେ ଟିଭିକେ ସରକାର କେନ୍ଦ୍ର ସରକାରକୁ ସମ୍ପୂର୍ଣ୍ଣ ସହଯୋଗ କରିବ । ହେଲେ ତାମିଲନାଡୁର ଅଧିକାର କ୍ଷୁଣ୍ଣ କରୁଥିବା କୌଣସି ନୀତିକୁ କେବେ ବି ସମର୍ଥନ କରାଯିବ ନାହିଁ । ଆଜି ଦେଶ ୮୦ ତମ ସ୍ବାଧୀନତା ଦିବସ ପାଳୁଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବା ପରେ ସି. ଯୋଶେଫ ବିଜୟ ପତାକା ଉତ୍ତୋଳନ କରି ନିଜ ପ୍ରଥମ ଭାଷଣ ଉପସ୍ଥାପନା କରିଥିଲେ । ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ଭାଷଣ ଦେଇ ବିଜୟ କହିଛନ୍ତି, ଦୁର୍ନୀତି ଦୂର କରିବା ହିଁ ପ୍ରକୃତ ସ୍ୱାଧୀନତା । ତାଙ୍କ ସରକାର ଦୁର୍ନୀତି ନିରାକରଣ ଦିଗରେ କାମ କରୁଛି। ଏଥିପାଇଁ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି । ଟିଭିକେ ସରକାର ବିରୋଧରେ ହେଉଥିବା ଯେକୌଣସି ଷଡଯନ୍ତ୍ର ଓ ଯୋଜନାକୁ ପଣ୍ଡ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ତାଙ୍କ ସରକାର ସମସ୍ତଙ୍କ ପାଇଁ ସମାନତା, ସ୍ୱଚ୍ଛତା, ସତ୍ୟ ଓ ସଚ୍ଚୋଟତା ଉପରେ ଆଧାରିତ ବୋଲି ବିଜୟ ଦାବି କରିଛନ୍ତି । ଭ୍ରଷ୍ଟାଚାର, ଲାଞ୍ଚ ଓ ଡ୍ରଗ୍ସ କଲଚର ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଯିବ । ଏଥିସହ ମହିଳାଙ୍କ ସୁରକ୍ଷା ଓ ସାମାଜିକ ନ୍ୟାୟକୁ ସରକାର ପ୍ରାଥମିକତା ଦେବ ବୋଲି ସେ କହିଛନ୍ତି ।
ବିଜୟଙ୍କ ମତରେ, ସାର୍ବଜନୀନ ଜୀବନରେ କୌଣସି ପ୍ରକାର ସାଲିସର ସ୍ଥାନ ନାହିଁ । ଲୋକଙ୍କ କଲ୍ୟାଣ ସର୍ବୋପରି। ତେଣୁ ତାମିଲନାଡୁର ଅଧିକାର ଓ ସ୍ୱାର୍ଥ ବିରୋଧରେ ଯେକୌଣସି ନୀତିଗତ ନିଷ୍ପତ୍ତିକୁ ଟିଭିକେ ସରକାର ଦୃଢ଼ ଭାବରେ ବିରୋଧ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ବିଜୟ ଅନେକ ଲୋକକଲ୍ୟାଣମୂଳକ ଘୋଷଣା ମଧ୍ୟ କରିଛନ୍ତି । ସିଏନ୍ ଅନ୍ନାଦୁରାଇଙ୍କ ଜୟନ୍ତୀ ଅବସରରେ ସରକାରୀ ହସ୍ପିଟାଲରେ ଜନ୍ମ ନେଉଥିବା ନବଜାତ ଶିଶୁଙ୍କ ପାଇଁ ‘ଥାଇମାନନ୍ ଥଙ୍ଗା ମେଥିରନ୍ ଥିଟ୍ଟମ୍’ ନାମକ ସୁନା ମୁଦି ଯୋଜନା ଆରମ୍ଭ କରାଯିବ। ଏଥିପାଇଁ ୭୫୫.୮୩ କୋଟି ଟଙ୍କା ବ୍ୟୟ ହେବ । ଏହା ସହ ପୂର୍ବତନ ଏଆଇଏଡିଏମ୍କେ ଓ ଡିଏମ୍କେ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଆମ୍ମା କ୍ୟାଣ୍ଟିନ୍ ଏବଂ ସ୍କୁଲ୍ ପିଲାଙ୍କ ପାଇଁ ଜଳଖିଆ ଯୋଜନା ଭଳି କଲ୍ୟାଣକାରୀ କାର୍ଯ୍ୟକ୍ରମ ଜାରି ରଖାଯିବା ସହ ଏହାକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଛନ୍ତି ।