ଭୁବନେଶ୍ୱର,୧୬/୫: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ପହଞ୍ଚତ୍ବାରେ ବିଳମ୍ବ ହେବ। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) । ମୌସୁମୀ ସାଧାରଣତଃ ଜୁନ୍ ୧ରେ କେରଳ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ ଏହା ୫ ଦିନ ବିଳମ୍ବରେ ଅର୍ଥାତ୍ ଜୁନ୍ ୬ରେ କେରଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ବୁଧବାର ସୂଚନା ଦେଇଛି। ଏଥିରେ ୪ ଦିନ କମ୍ ବେଶୀ ହୋଇପାରେ ବୋଲି କୁହାଯାଇଛି।
ମେ ୧୮-୧୯ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଣ୍ଡାମାନ ସାଗରର ଦକ୍ଷିଣ ଭାଗ, ନିକୋବର ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅଗ୍ରସର ହେବା ଲାଗି ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଚଳିତ ବର୍ଷ ମୌସୁମୀ ଆଗମନରେ ବିଳମ୍ବ ହେବ ବୋଲି ମଙ୍ଗଳବାର ଘରୋଇ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଥିଲା। ଏହା ଜୁନ୍ ୪ରେ କେରଳ ଉପକୂଳ ଛୁଇଁବ ବୋଲି ସ୍କାଏମେଟ୍ କହିଥିଲା। ଯଦି ଚଳିତ ବର୍ଷ ମୌସୁମୀ ବିଳମ୍ବରେ ପହଞ୍ଚେ ତେବେ ୨୦୧୪ରୁ ଏହା ତୃତୀୟ ଘଟଣା ହେବ। ୨୦୧୪ରେ ମୌସୁମୀ ଜୁନ୍ ୫ରେ ପହଞ୍ଚତ୍ଥିଲା। ଏହା ପରେ ୨୦୧୫ରେ ଜୁନ୍ ୬ ଏବଂ ୨୦୧୬ରେ ଜୁନ୍ ୬ରେ ମୌସୁମୀ କେରଳ ଉପକୂଳ ଛୁଇଁଥିଲା।
ଓଡିଶା ପରିପ୍ରେକ୍ଷୀରେ ଦେଖିଲେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ ୧୫ କିମ୍ବା ୧୮ ତାରିଖରେ ରାଜ୍ୟରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୌସୁମୀ ବିଳମ୍ବ ହେବା ସହିତ ରାଜ୍ୟରେ ମଧ୍ୟ ସ୍ବାଭାବିକଠାରୁ ସାମାନ୍ୟ କମ୍ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏଥିଯୋଗୁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବ ହେବା ଆଶଙ୍କା ରହିଛି। ରଜ ଅର୍ଥାତ ଜୁନ ୧୪ ପୂର୍ବରୁ ରାଜ୍ୟରେ ପ୍ରାକ ମୌସୁମୀ ବର୍ଷା ପରେ ଧାନ ବୁଣା ଯାଇଥାଏ। ମୌସୁମୀ ଆସିବାରେ ବିଳମ୍ବ ହେଲେ ରୁଆ ବେଉଷଣ କାର୍ଯ୍ୟ ମଧ୍ୟ ବାଧା ପ୍ରାପ୍ତ ହେବ। ବରଗଡ, ସୁବର୍ଣ୍ଣପୁର, କୋରାପୁଟ, ମାଲକାନଗିରି, ନୟାଗଡ, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡା, ସମ୍ବଲପୁର ଆଦି ଜିଲାରେ ସ୍ବଳ୍ପ ବୃଷ୍ଟି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ସବୁକିଛି ମୌସୁମୀର ଆଗମନ ଉପରେ ହିଁ ନିର୍ଭର କରୁଛି।
୨୦୧୮ରେ ମୌସୁମୀ ସଅଳ ଅର୍ଥାତ ଜୁନ ୮ ତାରିଖରେ ଓଡିଶାକୁ ପ୍ରବେଶ କରିଥିଲା। ସପ୍ତାହକ ମଧ୍ୟରେ ରାଜ୍ୟର ୬୦ ପ୍ରତିଶତ ଅଂଶକୁ ଛୁଇଁ ପାରିଥିଲା। ଜୁନ ୧୨ରୁ ୨୧ ତାରିଖ ଯାଏ ମୌସୁମୀ ଦୁର୍ବଳ ରହିଥିଲା। ଧାନ ଚାଷ ଉପରେ ଏହାର ପ୍ରଭାବ ପଡିଥିଲା। ପରେ ବର୍ଷା ସ୍ବାଭାବିକ ସ୍ତରକୁ ଆସିଥିଲା।