ସାପ୍ତାହିକ ହାଟକୁ ଯାଇ ଦୁଷ୍କର୍ମର ଶିକାର: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୀଡ଼ିତା

ଭୁବନେଶ୍ୱର, ୧୬/୧୧ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଘଟିଥିବା ଦୁଷ୍କର୍ମ ଘଟଣାରେ ଶେଷରେ ଆଖି ବୁଜିଛନ୍ତି ପୀଡ଼ିତା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସାପ୍ତାହିକ ହାଟକୁ ଯାଇଥିବା ମହିଳା ଘରକୁ ନଫେରିବାର ଦିନକ ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଏହି ଘଟଣାକୁ ନେଇ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ପରିବାର ପକ୍ଷରୁ ଏତଲା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଗତ ୧୦ ତାରିଖ ସାପ୍ତାହିକ ହାଟରୁ ପୀଡ଼ିତା ଫେରୁଥିବା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ପଡାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଟେଣ୍ଟେଇନାଳୀ ଗ୍ରାମର ଦାଶରଥି ଜୁଆଙ୍ଗ ନାମକ ଜଣେ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରିଥିବା ନେଇ ଗତକାଲି ତେଲକୋଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ୩୬୪/୨୬ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବାକୁ ଗତକାଲି କଟକ ବଡ଼ ଡାକ୍ତରଖାନାକୁ ଯାଇଥିଲା।

ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭଯୋଗ ମୁତାବିକ, ସେ ହାଟକୁ ସଉଦା ଆଣିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରଦିନ ଏକ ଗଛ ମୂଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଠାବ କରାଯାଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୀଡ଼ିତାଙ୍କୁ ମୁମୁର୍ଷ ଅବସ୍ଥାରେ ପ୍ରଥମେ ତେଲକୋଇ ଓ ପରେ କେନ୍ଦୁଝର ନିଆଯାଇଥିଲା। ସେଠାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କଟକସ୍ଥିତ ଏସସିବି ଡାକ୍ତରଖାନା ଟ୍ରମା କେୟାରରେ ସେ ଚିକିତ୍ସିତ ହେଉଥିବା ବେଳେ ଗତକଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତା ଜଣକ ଶେଷରେ ଆଖି ବୁଜିଛନ୍ତି। ଅନ୍ୟପଟେ ଦୁଷ୍କର୍ମ ଅଭିଯୋଗକୁ ନେଇ ପୁଲିସ ତଦନ୍ତ ଚଳାଇଛି। ଜଣେ ଅସହାୟ ଆଦିମ ଜନଜାତି ସମ୍ପ୍ରଦାୟର ମହିଳାଙ୍କୁ ନ୍ୟାୟ ମିଳିବା ସହ ଘଟଣାରେ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବାକୁ ଦାବି ଉଠିଛି।