ବାରାଣସୀରେ ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ପ୍ରିୟଙ୍କାଙ୍କ ଇସାରା

ବାରାଣସୀ,୨୯/୩: ଦଳ ଚାହିଁଲେ ନିର୍ବାଚନ ମଇଦାନକୁ ଓହ୍ଲାଇବି। ଏଭଳି ମନ୍ତବ୍ୟ ଦେଇଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଚଳିତ ନିର୍ବାଚନରେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ଇସାରା ଦେଇଛନ୍ତି। କିନ୍ତୁ ଏହା କେତେଦୂର ସତ୍ୟ ତାହା ସମୟ କହିବ। ପ୍ରିୟଙ୍କାଙ୍କୁ କଂଗ୍ରେସ ହାଇକମାଣ୍ଡ ଉତ୍ତରପ୍ରଦେଶରେ ସ୍ଥିତି ସୁଧାରିବାର ଦାୟିତ୍ଵ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ ଇସାରା ଦେବା ପରେ ରାଜନୈତିକ ମହଲରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

ରାଏବରେଲିରେ ବୁଥସ୍ତରୀୟ କର୍ମୀ, ବ୍ଲକ ସଭାପତି, ଗ୍ରାମ ପଞ୍ଚାୟତ ଏବଂ ନଗର ପଞ୍ଚାୟତ ମୁଖ୍ୟମାନଙ୍କ ସହ ପ୍ରିୟଙ୍କା ଆଲୋଚନା କରିଥିଲେ। ଏହି ସମୟରେ କର୍ମୀମାନେ ତାଙ୍କୁ ସୋନିଆ ଗାନ୍ଧୀଙ୍କ ଲୋକସଭା ଆସନ ରାଏବରେଲିରୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଥିଲେ। କିନ୍ତୁ ପ୍ରିୟଙ୍କା ମୁରୁକି ହସ ମାରି ରାଏବରେଲି କାହିଁକି, ବାରାଣସୀରେ କ’ଣ ପାଇଁ ନୁହେଁ ବୋଲି ପ୍ରଶ୍ନ କରିଥିଲେ। ପ୍ରିୟଙ୍କାଙ୍କ ଏଭଳି ଇସାରା ଦଳୀୟ କର୍ମୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

ଅନ୍ୟପଟେ ପ୍ରିୟଙ୍କା ଯଦି ବାରାଣସୀରୁ ମୋଦୀଙ୍କ ବିରୋଧରେ ଲଢ଼ନ୍ତି, ତେବେ ଏହା ଚଳିତ ନିର୍ବାଚନରେ ସବୁଠାରୁ ହାଇପ୍ରୋଫାଇଲ ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ତେବେ ପ୍ରିୟଙ୍କାଙ୍କ ଏହି ଇସାରା କେବଳ କର୍ମୀଙ୍କ ପ୍ରଶ୍ନର ଉତ୍ତରରେ ସୀମିତ ବୋଲି ଅନୁମାନ କରାଯାଉଛି।