ମେ’ ୨୩ରୁ ‘କିଟ୍’ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ

ଭୁବନେଶ୍ୱର, ୧୨/୦୫ : ଭାରତର ସର୍ବାଧିକ ପୁରସ୍କାର ରାଶି ସହ କିଟରେ ଆରମ୍ଭ ହେବ ଚେସ୍ ମହୋତ୍ସବ । ଭାଗନେବେ ୪୦ ଦେଶର ପ୍ରତିଯୋଗୀ, ୩୦ ଗ୍ରାଣ୍ଡମାଷ୍ଟର, ୪୫ ଆଇଏମ୍ । ଆସନ୍ତା ମେ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟର ବିଶ୍ୱନାଥନ ଆନନ୍ଦ ଚେସ୍ ହଲ୍ ରେ ଆୟୋଜିତ ହେବ ସପ୍ତଦଶ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ । ଅନ୍ତର୍ଜାତୀୟ ଚେସ୍ ମହାସଂଘ (ଫିଡେ) ଓ ସର୍ବଭାରତୀୟ ଚେସ୍ ମହାସଂଘ (ଏଆଇସିଏଫ୍) ଆନୁକୂଲ୍ୟରେ କିଟ୍ ରେ ଆୟୋଜିତ ହେବ ପ୍ରତିଯୋଗିତା । ସବୁଠୁ ବଡ଼ କଥା ଭାରତୀୟ ଚେସ୍ ଇତିହାସରେ ନୂଆ ମାଇଲଖୁଣ୍ଟ ଯୋଡ଼ିବ ଏହି ଟୁର୍ଣ୍ଣାମେଣ୍ଟ । କାରଣ ପ୍ରଥମ ଥର ପାଇଁ ୧.୩୧ କୋଟି ଟଙ୍କାର ପୁରସ୍କାର ରାଶି ସହ କିଟ୍ ଆୟୋଜନ କରୁଛି ଏସିଆର ସବୁଠୁ ବଡ଼ ଚେସ୍ ମହୋତ୍ସବ ।

ପୂର୍ବରୁ କିଟ୍ ସଫଳତାର ସହ ଏହାରର ୧୬ଟି ସଂସ୍କରଣ ଆୟୋଜନ କରି ସାରିଛି । ପ୍ରତିଯୋଗିତା ବିଭିନ୍ନ ବର୍ଗରେ ଖେଳାଯିବ । ଉଦୀୟମାନ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଥିବା ‘ବି’ ଓ ‘ସି’ ବର୍ଗରେ ମୋଟ୍ ୭୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ। ଯାହା ଗତବର୍ଷର ପୁରସ୍କାର ରାଶିଠାରୁ ଯଥେଷ୍ଟ ଅଧିକ। ପ୍ରତିଯୋଗିତାରେ ଭାଗ ନେବେ ୪୦ଟି ଦେଶର ପ୍ରତିଯୋଗୀ ସେଥିମଧ୍ୟରେ ରହିଛନ୍ତି ୮୫ ଟାଇଟଲଧାରୀ । ଏବେ ସୁଦ୍ଧା ୩୦ ଗ୍ରାଣ୍ଡମାଷ୍ଟର, ୪୫ଜଣ ଆଇଏମ୍, ୫ ଫିଡେ ମାଷ୍ଟର, ଜଣେ ମହିଳା ଗ୍ରାଣ୍ଡମାଷ୍ଟର ଓ ୩ ଜଣ ମହିଳା ଆଇଏମ୍ ଅଂଶଗ୍ରହଣ କରିବା ଲାଗି ସମ୍ମତି ପ୍ରଦାନ କରିଥିବା ଜଣାପଡ଼ିଛି। ୨୪୦୦ରୁ ଅଧିକ ରେଟିଂ ପ୍ରାପ୍ତ ବହୁ ଖେଳାଳି ମଧ୍ୟ ଏହି ପ୍ରତିଯୋଗିତାର ଶୋଭାବର୍ଦ୍ଧନ କରିବାକୁ ଯାଉଛନ୍ତି। ସର୍ବୋଚ୍ଚ ରେଟିଂ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ମେକ୍ସିକୋର ମାର୍ଟିନେଜ୍ ଆଲକାନ୍ତ୍ରା ଜୋସେ ଏଡୁଆର୍ଡୋ (୨୬୪୦) । ଓଡ଼ିଶାର ନେତୃତ୍ୱ ନେଉଛନ୍ତି ଡବ୍ଲ୍ୟୁଜିଏମ୍ କିରଣ ମନୀଷା ମହାନ୍ତି, ପଦ୍ମିନୀ ରାଉତ ଓ ଆଇଏମ୍ ସମ୍ବିତ ପଣ୍ଡା ପ୍ରମୁଖ। ଚେସ ମହୋତ୍ସବରେ ଓଡ଼ିଶା ଖେଳାଳିଙ୍କ ପାଇଁ ଏକ ବଡ଼ ସୁଯୋଗ ରହିଥିବାରୁ ଆଗାମୀ ସମୟରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଆହୁରି ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟ ବାହାର ତଥା ବିଦେଶୀ ଖେଳାଳିଙ୍କ ପାଇଁ ରହିବା ଓ ଖାଇବା ସୁବନ୍ଦୋବସ୍ତ କରାଯାଇଛି କହିଛନ୍ତି କିଟ୍ ଚେସ୍ କୋଚ୍ ଗୌରହରି ମହାପାତ୍ର ।