ଭୁବନେଶ୍ୱର,୨୨/୧: ଭଦ୍ରକଠାରେ ଇଣ୍ଡିଆନ୍ ଅଏଲ ତରଫରୁ ପ୍ରସ୍ତାବିତ ବୟନ ଓ ବସ୍ତଶିଳ୍ପ ପ୍ରକଳ୍ପ ପାଇଁ ରାଜ୍ୟସରକାର ଅନୁମତି ଦେଇ ନାହାନ୍ତି। ଏଥିପାଇଁ ଆବଶ୍ୟକୀୟ ଜମି ମିଳିବାରେ ଅହେତୁକ ବିଳମ୍ବ ହେଉଥିବା ଦର୍ଶାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ପତ୍ରରେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆବଶ୍ୟକୀୟ ୭୫ ଏକର ଜମି ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି। ଏହି ଜମି ଯୋଗାଇ ଦିଆଗଲେ ପ୍ରକଳ୍ପ ତୁରନ୍ତ ଆରମ୍ଭ କରାଯିବ ଓ ଅନେକ ଦିନର ସ୍ବପ୍ନ ସାକାର ହେବ ବୋଲି ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।
ଇଣ୍ଡିଆନ୍ ଅଏଲର ଭଦ୍ରକଠାରେ ଏହି ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକ୍ରମ ହେଲେ ରାଜ୍ୟର ଶିଳ୍ପ ମାନଚିତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ। ଏହି ପ୍ରକଳ୍ପରେ ପ୍ରଚୁର ମାନବସମ୍ବଳ ଆବଶ୍ୟକତା ପ୍ରରିପ୍ରେକ୍ଷୀରେ ଭଦ୍ରକ ପୂର୍ବଭାରତର ସୁରଟ ହୋଇପାରିବ ବୋଲି ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି। ଯଦି ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ସହଯୋଗର ହାତ ନ ବଢ଼ାନ୍ତି ତାହା ହେଲେ ରାଜ୍ୟ ଏକ ବଡ଼ ସୁଯୋଗର ହାତ ଛଡ଼ା କରିବ। ଯଦି ରାଜ୍ୟ ସରକାର ଆହୁରି ବିଳମ୍ବ କରନ୍ତି ତାହାହେଲେ ଏହି ପ୍ରକଳ୍ପ ଶିଳ୍ପ ଅନୁକୂଳ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ତିଆରି ହେବ। ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପ ପାଇଁ ସହଯୋଗର ହାତ ବଢ଼ାଇବାକୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ଏମ୍ଏସଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଉପସ୍ଥିତିରେ ନଭେମ୍ବର ୧୬, ୨୦୧୭ରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ପ୍ରାରମ୍ଭିକ ଭାବେ ଏଥିପାଇଁ ୩୫ ଏକର ଜମି ଆବଶ୍ୟକ ବୋଲି ଆକଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ ୭୫ ଏକର ଜମିର ଆବଶ୍ୟକତା ନେଇ ଆକଳନ ପରେ ଏହି ଜମି ଯୋଗାଇ ଦେବା ପାଇଁ ରାଜ୍ୟସରକାରଙ୍କ ଇପିକଲ୍ ପାଖରେ ଆବେଦନ କରାଯାଇଥିଲା । ଏହି ଜମି ଯୋଗାଇଦେବା ପାଇଁ ବାରମ୍ବାର ବିଭିନ୍ନ ତାରିଖରେ ରାଜ୍ୟ ସରକାରଙ୍କଠାରେ ଯୋଗାଯୋଗ କରାଯିବା ପରେ ମଧ୍ୟ ଜମି ଯୋଗାଇ ଦେବାରେ ରାଜ୍ୟସରକାର ଅହେତୁକ ବିଳମ୍ବ କରୁଥିବା ପ୍ରଧାନ ତାଙ୍କ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।