ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ କୋହଲି : ଜାହିର ଆବାସ

କରାଚୀ,୨୨/୧: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମସ୍ତ ରେକର୍ଡକୁ ବିରାଟ କୋହଲି ଭାଙ୍ଗି ଦେବେ। ଏଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନ ପୂର୍ବତନ ବ୍ୟାଟ୍ସମ୍ୟାନ ଜାହିର ଆବାସ। କୋହଲିଙ୍କ ନାମରେ ଏବେ ୩୯ ଦିନିକିଆ ଶତକ ରହିଛି। ତେନ୍ଦୁଲକର(୪୯)ଙ୍କ ରେକର୍ଡକୁ ଭାଙ୍ଗିବା ଲାଗି ଭାରତୀୟ ଅଧିନାୟକ କୋହଲିଙ୍କୁ ଆଉ ୧୧ ଶତକ ଦରକାର। ଏକ ଟିଭି ଶୋ’ କାର୍ଯ୍ୟକ୍ରମରେ ଯୋଗଦେଇ ଆବାସ କହିଛନ୍ତି, ବର୍ତ୍ତମାନ ବିରାଟ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ସେ ସମସ୍ତ ରେକର୍ଡ ଭଙ୍ଗ କରିବେ। କେବଳ ବିରାଟ ନୁହେଁ ଭାରତୀୟ ଦଳର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନମାନେ ମଧ୍ୟ ନୂଆ ରେକର୍ଡ କରିପାରିବେ। ରୋହିତ ଶର୍ମାଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି। ତାଙ୍କ ନିକଟରେ ଭଲ ଶଟ ଅଛି। ଏଥିଯୋଗୁ ତାଙ୍କୁ କେବଳ କ୍ରିଜ୍‌ରେ ତିଷ୍ଠି ରହିବାର ଆବଶ୍ୟକତା ଅଛି। ଏହା ସହଜ ନୁହେଁ। ଏଥିନେଇ କଠିନ ପରିଶ୍ରମ କରିବାକୁ ପଡ଼େ। ଭାରତୀୟ ଦଳର ବୋଲର ମଧ୍ୟ ଏବେ ଭଲ ପ୍ରଦର୍ଶନ କରୁଛନ୍ତି। ଏଥିଲାଗି ଭାରତ ଶ୍ରେଷ୍ଠ ଦଳ ହୋଇପାରିଛି ବୋଲି ଆବାସ କହିଛନ୍ତି। ପୂର୍ବତନ ବ୍ୟାଟ୍ସମ୍ୟାନ ଜାହିର ପାକିସ୍ତାନ ପକ୍ଷରୁ ୭୮ ଟେଷ୍ଟ ଓ ୬୨ ଦିନିକିଆ ଖେଳିଥିଲେ।