ସବୁଠୁ ମହଙ୍ଗା ସ୍ପୋର୍ଟ୍ସ କାର୍‌

ଫ୍ରାନ୍ସର ପ୍ରସିଦ୍ଧ କାର୍‌ ନିର୍ମାତା କମ୍ପାନୀ ବୁଗାତୀ ପୃଥିବୀର ସବୁଠାରୁ ମହଙ୍ଗା ସ୍ପୋର୍ଟ୍ସ କାର୍‌ ଲଞ୍ଚ କରିବାକୁ ଯାଉଛି । ଜେନେଭା ମୋଟର ଶୋ’ରେ ବୁଗାତୀ ଏପରି ଗୋଟିଏ କାର୍‌ ପ୍ରଦର୍ଶନ କରିଛି । ବିବିଧି ନୂଆ ବ୍ୟବସ୍ଥା ଥିବାରୁ କାର୍‌ର ମୂଲ୍ୟ ଅତ୍ୟଧିକ । ବୁଗାତୀର ଏହି ଗୋଟିଏ ନୂଆ କାର୍‌ (ଲା ବାଁୟଚୋ ନୁଆ)ର ଦାମ୍‌ ଯେତିକି ସେଥିରେ ମାରୁତି ସୁଜୁକି ଦ୍ୱାରା ନିର୍ମିତ ୧୪ ଶହରୁ ଅଧିକ ବିଟାରା ବ୍ରେଜା କାର୍‌ କିଣାଯାଇ ପାରିବ । କାର୍‌ସାରା ହାତତିଆରି କାର୍ବନ ଫାଇବର ବଡିୱାର୍କ କରାଯାଇଛି । ୱିଣ୍ଡ୍‌ ସ୍କ୍ରିନ୍‌କୁ ହେଲ୍‌ମେଟ୍‌ ୱାଇଜର ଭଳି ଡିଜାଇନ୍‌ କରାଯାଇଛି । ୧୯୩୦ରେ ନିର୍ମିତ ବୁଗାତୀ ଟାଇପ୍‌ ସି-୫୭ ଏସ୍‌ସି ଭଳି ତିଆରି ହୋଇଛି ଲା ବାଁୟଚୋ ନୁଆ । କାର୍‌ର ଟପ୍‌ ସ୍ପିଡ୍‌ ଘଣ୍ଟା ପ୍ରତି ୪୨୦ କିଲୋମିଟର । ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୮ କୋଟି ଟଙ୍କା (୧୬୭ ଲକ୍ଷ ୟୁରୋ) । ଏପର୍ଯ୍ୟନ୍ତ ଏ ପ୍ରକାର ଗୋଟିଏ ମାତ୍ର କାର୍‌ ପ୍ରସ୍ତୁତ ହୋଇଛି ଯାହା ପାଇଁ ଜଣେ କ୍ରେତା ସ୍ଥିର ହୋଇସାରିଛନ୍ତି । ସେହି ବ୍ୟକ୍ତି ହେଲେ ଫକ୍ସୱାଗନର ପୂର୍ବତନ ସିଇଓ ତଥା ଚେୟାରମ୍ୟାନ୍‌ ଫର୍ଡିନାଣ୍ଡ ପିଚ୍‌ ।
ବୁଗାତୀ କମ୍ପାନୀ ୧୯୦୯ରେ ସ୍ଥାପିତ ହୋଇଥିଲା । କମ୍ପାନୀର ୧୧୦ ବର୍ଷ ପୂର୍ତ୍ତି ଅବସରରେ ଲା ବାଁୟଚୋ ନୁଆ ଛଡ଼ା ଅନ୍ୟ ଏକ କାର୍‌ ଶିରନ୍‌ ସ୍ପୋର୍ଟ୍ସ ୧୧୦ ଏନ୍‌ଏସ୍‌ ଏଡିସନ୍‌କୁ ଲଞ୍ଚ କରାଯାଇଛି ।