ଭୁବନେଶ୍ୱର, ୧୭/୧୦ : ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଉଭୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମୋଟ ୫.୬୧ କୋଟି ଟଙ୍କାର ପୁରସ୍କାର ଦିଆଯାଇଛି। ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଦଳର ଖେଳାଳି, କୋଚ୍ ଓ ସହଯୋଗୀ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। ସ୍ୱର୍ଣ୍ଣ ପଦକ ବିଜେତା ଖେଳାଳିମାନେ ଦେଶର ଯୁବପିଢ଼ିଙ୍କ ପାଇଁ ପ୍ରକୃତ ଆଦର୍ଶ ବୋଲି ସେ କହିଥିଲେ।
ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍ଙ୍କୁ ୫.୫୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିବା ସୂଚନା ଦିଆଯାଇଛି। ଏହାସହ ଭାରତୀୟ ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଓ ସୁନେଲିତା ଟପ୍ପୋଙ୍କୁ ସେମାନଙ୍କ ଅବଦାନ ପାଇଁ ଅତିରିକ୍ତ ୨୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି।ମୁଖ୍ୟମନ୍ତ୍ରୀ କହିଥିଲେ, ମହିଳା ହକି ଦଳର ସ୍ୱର୍ଣ୍ଣ ବିଜୟ ଦୀର୍ଘ ୪୪ ବର୍ଷ ପରେ ଆସିଥିବାରୁ ଏହା ଦେଶର ମହିଳାମାନଙ୍କ ପାଇଁ ପ୍ରେରଣା ହୋଇ ରହିବ। ଉଭୟ ଦଳ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ସେ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଓଡ଼ିଶା ସରକାର ଭାରତୀୟ ହକି ଦଳର ଅଫିସିଆଲ୍ ସ୍ପନ୍ସର୍ ଭାବେ ନିଜର ସମର୍ଥନ ଜାରି ରଖିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଉତ୍ସବରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।