ଭୁବନେଶ୍ୱର, ୧୭/୧୦ : ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ ଆଜି (ଶନିବାର) ଦିନ ସଢେ ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟ ସରକାରଙ୍କ ବହୁ ମନ୍ତ୍ରୀ ଏବଂ ବରିଷ୍ଠ ପ୍ରାଶାସନିକ ଅଧିକାରୀ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ଔପଚାରିକ ସ୍ୱାଗତ କାର୍ଯ୍ୟକ୍ରମ ପରେ ସେ ପୁରୀ ଗସ୍ତରେ ଯାଇଛନ୍ତି। ସେ ସଡ଼କ ପଥରେ ପୁରୀ ଗସ୍ତ କରି ଅପରାହ୍ନ ୨ଟା ୪୦ରେ ପୁରୀ ଲୋକଭବନରେ ପହଞ୍ଚିବେ। ଅପରାହ୍ନ ୫ଟା ୩୦ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବେ। ଏହାପରେ ସନ୍ଧ୍ୟା ୬ଟା ୧୫ରେ ପୁରୀରୁ ବାହାରି ରାତି ୭ଟା ୨୫ରେ ଭୁବନେଶ୍ୱର ଲୋକଭବନରେ ପହଞ୍ଚିବେ। ବ୍ରଜମୋହନ ରାମ ଆସନ୍ତାକାଲି ଦିନ ୧୧ଟାରେ ଲୋକଭବନରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ଶପଥ ନେବା ପରେ ସେ ଆନୁଷ୍ଠାନିକ ଭାବେ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବେ। ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କ ଏକ ଲମ୍ବା ରାଜନୈତିକ ଅନୁଭୂତି ରହିଛି। ବିଜେପିର ତିନି ଥର ସାଂସଦ, ବିହାର ବିଧାନସଭାର ପୂର୍ବତନ ସଦସ୍ୟ ରହିଥିବା ବେଳେ ଏବେ ସେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବାକୁ ଯାଉଛନ୍ତି। ୧୯୫୮ ମସିହା ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡ ପଲାମୁ ଜିଲ୍ଲାର ଚାନ୍ଦୱାଠାରେ ଜନ୍ମଗ୍ରହଣ କରିଥିଲେ ବ୍ରଜ ମୋହନ ରାମ। ରାଜନୀତି ସହିତ ସେ କୃଷି କ୍ଷେତ୍ର ସହ ମଧ୍ୟ ସେ ଜଡ଼ିତ ଅଛନ୍ତି।