ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ପ୍ରୟାଗରାଜ ମନା

ଲକ୍ଷ୍ନୌ,୧୩ /୨: ବିମାନବନ୍ଦରରେ ଅଟକ ରହିଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ। ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ମଙ୍ଗଳବାର ସକାଳେ ଲକ୍ଷ୍ନୌ ବିମାନବନ୍ଦରରେ ପ୍ରଶାସନ ପକ୍ଷରୁ ଅଟକ ରଖାଯାଇଥିଲା। ଏନେଇ ଅଖିଳେଶ ଟୁଇଟରରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଅଭିଯୋଗ କରିଥିଲେ। ଏହାପରେ ସମାଜବାଦୀ ପାର୍ଟିର ବହୁ କାର୍ଯ୍ୟକର୍ତ୍ତା ବିମାନବନ୍ଦରରେ ପହଞ୍ଚି ନାରାବାଜି ସହ ହଙ୍ଗାମା କରିଥିଲେ। ଏହାପରେ ଅଖିଳେଶ ଟୁଇଟରରେ ଟୁଇଟ ଉପରେ ଟୁଇଟର ବର୍ଷା କରିଥିଲେ। ଟୁଇଟରରେ ସେ ଅସନ୍ତୋଷ ପ୍ରକାଶ କରିବା ସହ ଭାଜପାକୁ ଆକ୍ଷେପ କରି ଲେଖିଛନ୍ତି, ଜଣେ ଛାତ୍ରନେତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ଯୋଗୀ ସରକାର ଏତେ ଡରୁଛନ୍ତି ଯେ ତାଙ୍କୁ ବିମାନବନ୍ଦରରେ ଅଟକ ରଖିଦିଆଗଲା। ସୂଚନା ଅନୁଯାୟୀ, ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରନେତାଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଅଖିଳେଶ ଯାଦବ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ସେନେଇ ସେ ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିଥିଲେ। ତେବେ ସେହି ସମୟରେ ପୋଲିସ ଓ ପ୍ରଶାସନ ତାଙ୍କୁ ବିମାନରେ ଚଢ଼ିବା ପାଇଁ ମନା କରିବା ସହ ଅଟକ ରଖିଥିଲେ। ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିଶ୍ୱବିଦ୍ୟାଳୟରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜୁ ସେଥିପାଇଁ ତାଙ୍କୁ ଅଟକ ରଖାଯାଇଥିଲା ବୋଲି ଯୋଗୀ ବୟାନ ଦେଇଛନ୍ତି।