ଅଢ଼େଇ କୋଟି ଟଙ୍କାର ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର, ଜଣେ ଗିରଫ

ଭୁବନେଶ୍ୱର,୧୩/୨: ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ସ୍ଥିତ ଯଦୁପୁର ଗାଁରୁ ଦୁଇଟି ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରାଯାଇଛି। ଯାହାର ମୂଲ୍ୟ ଆନ୍ତର୍ଜାତୀୟ ବଜାରରେ ୨ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଯଦୁପୁର ଗାଁରେ ଚଢ଼ଉ କରି ଏହି ମୂର୍ତ୍ତି ଦୁଇଟିକୁ ଜବତ କରିଛି। ମୂର୍ତ୍ତି ଚୋରି ଅଭିଯୋଗରେ ସୟଦ ଜିଲନୁର ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ ଦୁଇ ମୂର୍ତ୍ତି ମଧ୍ୟରୁ ଗୋଟିଏର ଓଜନ ୧୮.୪୪ କେଜି ହୋଇଥିବା ବେଳେ ଅନ୍ୟଟି ୧୨.୬ କେଜି।

ମୂର୍ତ୍ତି ଚୋରି ଘଟଣାକୁ ନେଇ ଏସ୍‌ଟିଏଫ୍‌ ଖୋଳତାଡ଼ ଆରମ୍ଭ କରିଦେଇଛି। ଜିଲନୁର ଓ ତା’ ସହଯୋଗୀମାନେ ବିଭିନ୍ନ ମନ୍ଦିରରୁ ଏମିତି ମୂର୍ତ୍ତି ଚୋରି କରିଥାନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।