ଭୁବନେଶ୍ୱର,୧୮/୯: ସରକାରୀ ଦଳ ପାଇଁ କାଳିଆ କେଁ ଯେପରି ପିଛା ଛାଡୁନି । ଗୋଟିଏ ପଟେ ଗତକାଲି କୃଷି ମନ୍ତ୍ରୀ ଅରୁଣ ସାହୁ କାଳିଆ ହିତାଧିକାରୀ ତାଲିକାରେ ସରକାରୀ ଚାକିରିଆ ଓ ବଡଚାଷୀ ରହିଥିବା କହିଥିଲେ ।ଏପରିକି ପୂର୍ବରୁ ମଧ୍ୟ ୩ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଥିବା ସୂଚନା ଦେଇଥିଲେ । କିନ୍ତୁ ଆଜି ବିଧାୟକ ତଥା ମୁଖପାତ୍ର ପ୍ରତାପ ଦେବ ଅଜବ ଯୁକ୍ତି ବାଢିଛନ୍ତି । କେବଳ ୩୨ହଜାର ଅଯୋଗ୍ୟ ବୋଲି ସେ କହିଛନ୍ତି ।
ପ୍ରତାପ କହିଛନ୍ତି ଯେ, ୩ଲକ୍ଷ ୪୧ ହଜାର ନୁହେଁ କେବଳ ୩୨ହଜାର ଜଣ ଅଯୋଗ୍ୟ କାଳିଆ ଟଙ୍କା ପାଇଛନ୍ତି । ୩ଲକ୍ଷ ୪୧ ହଜାର ହିତାଧିକାରୀ ଅଯୋଗ୍ୟ ନୁହଁନ୍ତି । କେବଳ ବଡ ଚାଷୀ ଓ ସରକାରୀ କର୍ମଚାରୀ ଅଯୋଗ୍ୟ ଅଟନ୍ତି । କେବଳ ୧୨ ହଜାର ବଡ ଚାଷୀ ଟଙ୍କା ପାଇଛନ୍ତି । ସେହିପରି ୨୦ ହଜାର ସରକାରୀ ଚାକିରିଆ ଟଙ୍କା ପାଇଛନ୍ତି । ଉଭୟେ ଅଯୋଗ୍ୟ । ଯେଉଁ ପରିବାରରୁ ଏକାଧିକ ପାଇଛନ୍ତି ସେମାନେ ଅଯୋଗ୍ୟ ନୁହଁନ୍ତି । ସେମାନେ କେବଳ ପରବର୍ତୀ କିସ୍ତି ପାଇବେ ନାହିଁ । ପୂର୍ବରୁ ଯେଉଁ ଟଙ୍କା ମିଳିଥିଲା ତାକୁ କେବଳ ଆଡଜଷ୍ଟ କରାଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବରୁ କୃଷିମନ୍ତ୍ରୀ ଅରୁଣ ସାହୁ କାଳିଆ ଟଙ୍କା ହାତେଇଥିବା ୩ଲକ୍ଷ ୪୧ ହଜାର ହିତାଧିକାରୀ ଅଯୋଗ୍ୟ ବୋଲି କହିଥିଲେ ।ଏପରିକି ସେମାନଙ୍କ ମଧ୍ୟରୁ ୨୦ ହଜାର ସରକାରୀ ଚାକିରିଆ ଥିବା ସେ ଗତକାଲି ସୂଚନା ଦେଇଥିଲେ ।