୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ପରେ ହତ୍ୟା ଅଭିଯୋଗ

ଜଟଣୀ,୧୨/୪: ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଞ୍ଚଳରେ ଜଣେ ୫ବର୍ଷର ଶିଶୁକନ୍ୟାକୁ ବଳାତ୍କାର ପରେ ହତ୍ୟା ହୋଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଶିଶୁର ମା’ଙ୍କ ଅଭିଯୋଗ ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ବଳାତ୍କାର ପରେ ହତ୍ୟାର ଶିକାର ଶିଶୁ କନ୍ୟାଙ୍କୁ ଅଚେତ ଅବସ୍ଥାରେ ପ୍ରଥମେ ସ୍ଥାନୀୟ ରେଲୱେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଏମ୍ସକୁ ସ୍ଥାନାନ୍ତର କରାଗଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାକୁ ନେଇ ଜଟଣୀ ଥାନା ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରୁ ଶୁକ୍ରବାର ପୂର୍ବାହ୍ନ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଛି। ସମ୍ପୃକ୍ତ ଅଭିଯୁକ୍ତ ଆନନ୍ଦ ପ୍ରଧାନଙ୍କୁ ସ୍ଥାନୀୟ ଲୋକେ ଧରି ନିର୍ଧୂମ୍‌ ଛେଚିବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଅଭିଯୁକ୍ତ ଆହତ ଥିବାରୁ ପୋଲିସ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରିଛି। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ଧାରଣାରେ ବସିଛନ୍ତି। ଏ ନେଇ ଡିସିପି ଅନୁପ ସାହୁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ମୃତ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଡିସିପି ସାହୁ କହିଛନ୍ତି।