ସ୍ନାନ ଯାତ୍ରା ପାଇଁ ୩ ଦିନ ପୁରୀରେ ଲାଗୁ ହେବ ୧୪୪ ଧାରା : ଟିଭି ରେ ସ୍ନାନ ଯାତ୍ରା ଦେଖିବେ ଭକ୍ତ

ଭୁବନେଶ୍ୱର,୨/୬ :ଆସନ୍ତା ଜୁନ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ତେଣୁ ପୁରୀରେ ତିନିଦିନ ଧରି ଜାରି ହେବ ୧୪୪ଧାରା । ଆଜି ପୁରୀରେ ଛତିଶାନିଯୋଗ ବୈଠକ ବସିଥିଲା । ଏହି ବୈଠକ ପରେ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଆସନ୍ତା ୪ ତାରିଖରୁ ପୁରୀରେ ତିନିଦିନ ଧରି ୧୪୪ଧାରା ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲୋକ ଭିଡକୁ ଦୃଷ୍ଟିରେ ରଖି ୧୪୪ଧାରା ଜାରି କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଏହି ଧାରା ଲୋକଙ୍କ ଆତଯାତ ରୋକିବା ପାଇଁ ଜାରି କରାଯିବ ।

ଆସନ୍ତା ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ଲାଗୁ ହେବ। ପୁରୀ ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯିବ । ଏଥିସହିତ ୧୪୪ ଧାରା ଶ୍ରୀମନ୍ଦିର ଚାରିପାଖରେ ବି ଲାଗୁ କରାଯିବ ।

କରୋନା କଟକଣା ଯୋଗୁଁ ଏଥର ସ୍ନାନବେଦିରେ ସାଧାରଣ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିବ ନାହିଁ । ଏପରିକି ବଡ଼ଦାଣ୍ଡରେ ମଧ୍ୟ କଟକଣା ରହିବ। ଭକ୍ତମାନେ ଘରେ ରହି ଟିଭିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ର ସିଧାପ୍ରସାରଣ ଦେଖିପାରିବେ। ମହାପ୍ରଭୁଙ୍କ ସେବା, ପୂଜା, ନୀତି ପରମ୍ପରା ଅନୁସାରେ ଅନୁଷ୍ଠିତ ହେବ। ସେହିଭଳି ରାଜ୍ୟ ସରକାର ନିର୍ଦ୍ଦେଶ ଦେଲେ କଟକଣା ଭିତରେ ରଥଯାତ୍ରା ମଧ୍ୟ କରାଯାଇପାରିବ ।