ବିଷାକ୍ତ ମଦ ପିଇ ୧୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୩୧/୦୫ : ମହାରାଷ୍ଟ୍ରର ପୁଣେରେ ବିଷାକ୍ତ ମଦ ପିଇ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସମଗ୍ର ରାଜ୍ୟକୁ ଚକିତ କରିଛି। ମୃତ୍ୟୁ ପରେ ସରକାର, ପୁଲିସ ଏବଂ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଷାକ୍ତ ମଦର ଅବୈଧ ଯୋଗାଣ ବନ୍ଦ କରିବାରେ ବିଫଳ ହେବା ପାଇଁ ପିମ୍ପରି-ଚିଞ୍ଚୱାଡ ପୋଲିସ ଏବଂ ରାଜ୍ୟ ଅବକାରୀ ବିଭାଗର ମୋଟ ୨୨ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଥାନେ ଜିଲ୍ଲାର ସେହି ଗୋଦାମରୁ ୫,୯୨୯ କିଲୋଗ୍ରାମ ବିଷାକ୍ତ ମିଥାନଲ ମଧ୍ୟ ଜବତ କରାଯାଇଛି ଯେଉଁଠାରୁ ପିମ୍ପରି ଚିଞ୍ଚୱାଡ ଏବଂ ପୁଣେ ସହରରେ ବିଷାକ୍ତ ମଦ ଯୋଗାଣ କରୁଥିବା ବେଆଇନ ମଦ ବ୍ୟବସାୟୀମାନଙ୍କୁ ଏହି ରାସାୟନିକ ପଦାର୍ଥ ଯୋଗାଇ ଦିଆଯାଇଥିଲା।